ଓଡ଼ିଶା କ୍ୟାଡରର ୨୦୦୩ ବ୍ୟାଚ୍‌ର ବରିଷ୍ଠ ଆଇପିଏସ ଅଫିସର ଶେଫିନ ଅହମ୍ମଦ କେ. ଙ୍କର ଦେହାନ୍ତ ହୋଇଛି । ତିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କେରଳର ମୂଳ ବାସିନ୍ଦା ଶେଫିନ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ।

ସୂଚନା ଅନୁଯାୟୀ; ସେ ଜୁଲାଇ ୨୦୨୩ ରୁ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ବିଭାଗରେ ଆଇଜି ଭାବରେ କାର୍ଯ୍ୟରତ ଥିଲେ। କିଛି ବର୍ଷ ପାଇଁ କେରଳରେ ଇଣ୍ଟର-କ୍ୟାଡର ଡେପୁଟେସନରେ କାର୍ଯ୍ୟ କରିଥିଲେ, ଯେଉଁଠାରେ ସେ ତିରୁବନନ୍ତପୁରମ ରୁରାଲ୍ ଏସପି ଭାବେ ସେବା ଯୋଗାଇଥିଲେ।

ସାଇବର କ୍ରାଇମ ଏବଂ ସିଆଇଡି ସିବି ବିଭାଗରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ସେ ଅନେକ ସମ୍ମାନ ଓ ପଦକରେ ଭୂଷିତ ହୋଇଥିଲେ। ତାଙ୍କ ବିୟୋଗରେ ପୋଲିସ ପ୍ରଶାସନ ଓ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟପଟେ ତାଙ୍କ ଅକାଳ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଶେଫିନ ଅହମ୍ମଦ କେ.ଙ୍କ ଅସମୟ ବିୟୋଗ ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ। ରାଜ୍ୟ ତଥା ଓଡ଼ିଶା ପୋଲିସ ପ୍ରତି ତାଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବା ସଦା ସର୍ବଦା ମନେରହିବ। ସ୍ୱର୍ଗତ ଅଫିସରଙ୍କ ପରିବାରବର୍ଗ, ସହକର୍ମୀ ଏବଂ ପ୍ରିୟଜନଙ୍କୁ ମୁଖ୍ୟମନ୍ତ୍ରୀ ନିଜର ଗଭୀର ସମବେଦନା ଜଣାଇଛନ୍ତି।

 

Leave a Reply

Your email address will not be published. Required fields are marked *