ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଡ଼ ମହାନ୍ତି କହିଥିଲେ, ଦେଶର ବିକଶିତ ରାଜ୍ୟ ମାନଙ୍କରେ ମେଟ୍ରୋ ଚଳାଚଳ ଏକ ସାଧାରଣ ଘଟଣା ହୋଇଥିବା ବେଳେ, ଓଡିଶା ଭଳି ବିକାଶଶୀଳ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଆରମ୍ଭ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଆବଶ୍ୟକ ପଦକ୍ଷେପ ନେଇଥିଲେ । ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହେବା ସହିତ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହିତ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ଚୁକ୍ତି ହୋଇଥିଲା ଓ ଏହି ପ୍ରକଳ୍ପ ପାଇଁ ୬୦୦୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । କିନ୍ତୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ, ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ବରଂ ଏହି ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେବାକୁ ଉଦ୍ୟମ କରୁଛନ୍ତି । ଜଣେ ମନ୍ତ୍ରୀ ମାଟି ଉପରେ ମେଟ୍ରୋ ଚାଲିବ ବୋଲି କହିଲା ବେଳେ, ଆଉ ଜଣେ ମନ୍ତ୍ରୀ ମାଟି ତଳେ ମେଟ୍ରୋ ଯିବ ବୋଲି କହିଥିଲେ । କିନ୍ତୁ ଏହି ପ୍ରକଳକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବିଜେପି ନେତାମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇ କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଡ଼ ମହାନ୍ତି କହିଥିଲେ, ସେହି ପ୍ରକ୍ରିୟାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ତାଙ୍କ ମନ୍ତବ୍ୟ ମାଧ୍ୟମରେ ଆହୁରି ଭ୍ରମ ସୃଷ୍ଟି କରିଛନ୍ତି । ସିଂହଦେଓ କହିଥିଲେ, ଦେଶରେ ଚାଲୁଥିବା ସମସ୍ତ ମେଟ୍ରୋ ରେଳ ପ୍ରକଳ୍ପ ଗୁଡିକ କ୍ଷତିରେ ଚାଲୁଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା । ହାଇଦ୍ରାବାଦ ଓ ବାଙ୍ଗାଲୋର ପ୍ରକଳ୍ପ ଲାଭରେ ଚାଲୁଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ରିପୋର୍ଟ ଦେଖାଇ ଡ଼ ଲେନିନ ମହାନ୍ତି, ଉପମୁଖ୍ୟମନ୍ତ୍ରୀ କେଉଁ ଉଦେ୍ଦଶ୍ୟରେ ମିଛ କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି, ତାହା ସ୍ପଷ୍ଟ ହେବା ଦରକାର । ବାଙ୍ଗାଲୋର ମେଟ୍ରୋ ପ୍ରକଳ୍ପର ବାର୍ଷିକ ଲାଭ ୧୩୦ କୋଟି ଟଙ୍କା ବୋଲି ଡ଼ ମହାନ୍ତି କାଗଜ ଦେଖାଇଥିଲେ । ସିଂହଦେଓ ଆହୁରି କହିଛନ୍ତି, ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ, ରାଜ୍ୟ ସରକାର ମେଟ୍ରୋ ଚାଲୁଥିବା ରାଜ୍ୟ ଗୁଡିକୁ ଏକ ପ୍ରତିନିଧି ଦଳ ପଠାଇବେ । ରାଜ୍ୟ ସରକାର ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଯଦି ଏକ ପ୍ରତିନିଧି ମଣ୍ଡଳୀ ଆମୋଦ ଭ୍ରମଣରେ ବିଭିନ୍ନ ରାଜ୍ୟକୁ ପଠାଇବାକୁ ଚାହୁଁଛନ୍ତି, ତାହା ସେ କରନ୍ତୁ । କିନ୍ତୁ ସେଥିପାଇଁ ରାଜ୍ୟର ବିକାଶର ପ୍ରତୀକ ସ୍ୱରୂପ ମେଟ୍ରୋ ପ୍ରକଳ୍ପକୁ ଅନ୍ଧକାର ଭିତରକୁ ଠେଲି ଦିଅନ୍ତୁ ନାହିଁ । ଡ଼ ମହାନ୍ତି ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ପ୍ରକଳ୍ପର ରାଜ୍ୟରେ ସ୍ଥିତିକୁ ନେଇ ସିଂହଦେଓ ଦେଇଥିବା ଆଜିର ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ, ଏହା ଏକ ବିଫଳ ଯୋଜନା । କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ଏହି ପ୍ରକଳ୍ପ ଗ୍ରହଣୀୟ ହୋଇପାରି ନାହିଁ । ରାଜ୍ୟରେ ୩ ଲକ୍ଷ ସୂର୍ଯ୍ୟଘର ସଂଯୋଗ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ଓଡ଼ିଶାରେ ମାତ୍ର ୨୦ ହଜାର ସଂଯୋଗ ହୋଇପାରିଛି ବୋଲି ମନ୍ତ୍ରୀ କହିଥିଲେ । ଏହି ତଥ୍ୟରୁ ପ୍ରକଳ୍ପର ଗ୍ରହଣୀୟତା ନାହିଁ ବୋଲି ସ୍ପଷ୍ଟ ହେଉଛି । ଏହି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ନେଇ ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା । Post navigation ଟାଟା ପାୱାର ପାଖରେ ବନ୍ଧା ପଡିଛି ମୋହନ ସରକାର: ପଞ୍ଚାନନ କାନୁନଗୋ ବିଭାଜନ ବିଭୀଷିକା ସ୍ମୃତିଦିନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ