ଭୁବନେଶ୍ୱରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ତଥା ୨୦୧୩ ବ୍ୟାଚର ବରିଷ୍ଠ IPS ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ଏହାସହ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୁ ‘ଅନାପତ୍ତି ପ୍ରମାଣପତ୍ର’ ପଠାଇ ଦେଇଛନ୍ତି। ଗତ ଜୁଲାଇ ୫ରେ ରାଜ୍ୟ ସରକାରଙ୍କ ନିକଟରେ ଆଇପିଏସ୍ ଅଫିସର ଜଗମୋହନ ମୀନା ଦାଖଲ କରିଥିଲେ ଇସ୍ତଫା ପତ୍ର ।

୨୦୧୩ ବ୍ୟାଚ୍‌ର IPS ଅଫିସର ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ମୀନା କହିଛନ୍ତି ଯେ, ସେ ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ତାଙ୍କର ଏହି ବ୍ୟକ୍ତିଗତ ନିଷ୍ପତ୍ତି ପ୍ରତି ସମ୍ମାନ ଜଣାଇବାକୁ ଅନୁରୋଧ କରିଛନ୍ତି।

ଜଗମୋହନ ମୀନାଙ୍କର ୧୩ ବର୍ଷର ସେବା କାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ୨୦୧୩ ମସିହାରେ ସେ ସର୍ବଭାରତୀୟ ସ୍ତରରେ ୮୪୯ ରାଙ୍କ ହାସଲ କରିଥିଲେ ଫଳରେ ଭାରତୀୟ ପୋଲିସ ସେବା (IPS) ପାଇଁ ମନୋନୀତ ହୋଇଥିଲେ । ସେ ଓଡ଼ିଶା କ୍ୟାଡରର ଜଣେ ସିଧାସଳଖ ନିଯୁକ୍ତିପ୍ରାପ୍ତ ଅଧିକାରୀ ଥିଲେ। ସେ ନିଜ କ୍ୟାରିୟରରେ ଓଡ଼ିଶାର ଅନେକ ଜିଲ୍ଲାରେ ଏସପି ଏବଂ କଟକ ଭୁବନେଶ୍ୱର ଟ୍ୱିନ୍ ସିଟିରେ ଡିସିପି ଭାବେ ସୂଚାରୁ ରୂପେ ନିଜ ଦାୟିତ୍ୱ ତୁଲାଇଛନ୍ତି ।

ମାଲକାନଗିରି, ଗଜପତି, ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବା ସହ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ । ବିଶେଷ କରି ମାଓ ପ୍ରବଣ ଅଞ୍ଚଳରେ ମାଓବାଦୀ ବିରୋଧୀ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ସେ କଟକ ସହରାଞ୍ଚଳ ଜିଲ୍ଲାର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।

ନକ୍ସଲ ବିରୋଧୀ ଅଭିଯାନ ଏବଂ ସାହସିକତା ପାଇଁ ଜଗମୋହନ ମୀନାଙ୍କୁ ସରକାରଙ୍କ ତରଫରୁ ସମ୍ମାନିତ କରାଯାଇଛି । ୨୦୧୯ ମସିହାରେ ସାହସିକତା ପାଇଁ Police Medal for Gallantry ଏବଂ ୨୦୨୧ରେ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ Police Antrik Suraksha Seva Padak ମିଳିଥିଲା ।

Leave a Reply

Your email address will not be published. Required fields are marked *