ଓଡ଼ିଶାର ଚାଳକଙ୍କୁ ବିଦେଶରେ ମିଳିଛି ନିଯୁକ୍ତିର ସୁଯୋଗ। ଜାପାନରେ ଉଚ୍ଚ ବେତନ ଓ ସୁବିଧା ସହ ଚାକିରି କରିବାକୁ ଯିବେ ଜଣେ ମହିଳାଙ୍କ ସମେତ ୩୦ ଜଣ ଚାଳକ। ଯାହା ସାରା ଦେଶରେ ପ୍ରଥମ। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଉତ୍ତମ ବ୍ୟବହାର, ଜିରୋ କାଜୁଆଲିଟି ଓ ନିରାପତ୍ତା ଚାଳକମାନଙ୍କର ଆଦର୍ଶ ହେବା ଉଚିତ। ସେମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଜାପାନ ଯିବା ପୂର୍ବରୁ ଏହି ଚାଳକମାନେ ବେଙ୍ଗାଲୁରୁରେ ଜାପାନୀ ଭାଷା, ସଂସ୍କୃତି ଏବଂ ନିୟମାବଳୀ ଉପରେ ତାଲିମ ନେବେ। ସେମାନଙ୍କ ପାଇଁ ପାସପୋର୍ଟ ଏବଂ ଭିସାର ମଧ୍ୟ ବ୍ୟବସ୍ଥା କରାଯିବ। ଏହି ପ୍ରକ୍ରିୟା ପାଇଁ ଚାଳକଙ୍କ ପିଛା ୨ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ କରାଯାଉଛି। ନୂତନ ଚାଳକମାନଙ୍କୁ ବିଦେଶରେ ଓଡ଼ିଶାର ପରିଚୟ ଓ ଗୌରବକୁ ଅକ୍ଷୁଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ ।