ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଯାଇଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଶୁଣାଣି ସମୟରେ ଜେଲ୍ DG ସୁଶାନ୍ତ ନାଥ ଏହି ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରି ନିଜକୁ ଜଣେ ‘ପ୍ରଭାବିତ ପକ୍ଷ’ ଭାବେ ଶୁଣାଣିରେ ସାମିଲ କରିବାକୁ ପ୍ରାର୍ଥନା କରିଥିଲେ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ ନିକଟକୁ ଓଡ଼ିଶା ସରକାର ପଠାଇଥିବା ପ୍ୟାନେଲ୍ ସୁପାରିଶରୁ ନିଜ ନାମ ବାଦ୍ ପଡ଼ିବା ନେଇ ସୁଶାନ୍ତ କୁମାର ନାଥ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଚୟନ ପ୍ରକ୍ରିୟାରେ ତାଙ୍କୁ ଅଣଦେଖା କରାଯାଇଥିବା ଦର୍ଶାଇ ସେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। ସେ ଦର୍ଶାଇଛନ୍ତି ଯେ, ଏହି ମାମଲାର ଚୂଡ଼ାନ୍ତ ରାୟ ତାଙ୍କ ନିଯୁକ୍ତି ଏବଂ ପଦବୀ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଧିକ ସମୟ ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣିକୁ ୧୬ ତାରିଖକୁ ସ୍ଥଗିତ ରଖିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟରେ ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂତନ ଡିଜିପି ପଦବୀ ପାଇଁ ଜଣେ କନିଷ୍ଠ ପୁଲିସ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ୨୦୦୬ ମସିହାର ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଏହି ପ୍ରକ୍ରିୟା କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଥିଲେ। Post navigation Odisha Working Journalists Welfare Scheme: ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର Under-Construction Building Collapses in BBSR: ଭୁବନେଶ୍ୱରରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; କେତେକ ଶ୍ରମିକ ଆହତ