ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ IRC Village ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ଏହି ଶବରୀ ଭବନ କେବଳ ଏକ ଆଶ୍ରୟସ୍ଥଳ ନୁହେଁ – ଏହା ଆଦିବାସୀ ଯୁବ ଓ ନେତୃତ୍ୱର ଉଦୟ ପାଇଁ ଏକ ମଞ୍ଚ ହେବ ବୋଲି କହିବା ସହିତ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ସ୍ଵଳ୍ପକାଳୀନ ରହଣି ସହିତ ଶିକ୍ଷା, କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି କହିଥିଲେ । ଏଠାରେ ସମ୍ମିଳନୀ, ପ୍ରଶିକ୍ଷଣ ଶିବିର, କଳା ପ୍ରଦର୍ଶନୀ ଓ ଗବେଷଣା କାର୍ଯ୍ୟକ୍ରମ ହେବା ଦ୍ୱାରା ଏକ ସଂସ୍କୃତିକ ଜୀବନତା ପାଇଁ ଅନୁପ୍ରେରଣା ହେବ । ଆଦିବାସୀ ଭାଇ ଓ ଭଉଣୀମାନେ ଯେତେବେଳେ ଏଠାକୁ ଆସିବେ, ନିଜ ଘର ପରି ଅନୁଭବ କରିବେ । ଆପଣଙ୍କ ଶିକ୍ଷା, ଚିକିତ୍ସା, ନିଯୁକ୍ତି, ଓ ଉନ୍ନତିର ମାର୍ଗ ଏହିଠାରୁ ଆରମ୍ଭ ହେବ । ଆଦିବାସୀ ସଂସ୍କୃତି କେବଳ ନାଚ, ଗୀତରେ ସୀମାବଦ୍ଧ ନୁହେଁ, ଏହା ହେଉଛି ଏକ ଜୀବନ ଶୈଳୀ, ଏକ ଆତ୍ମା । ଏହାକୁ ସୁରକ୍ଷା କରିବା ଏବଂ ପ୍ରଚାର କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହାକୁ ଜୀବିତ ରଖି, ପରିସ୍ଫୁଟ କରିବା କରିବା ଦିଗରେ ଶବରୀ ଭବନ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ସରକାର କେବଳ ଅବିଭକ୍ତ ନୁହେଁ, ସାରା ରାଜ୍ୟକୁ ସମତୁଲ ଭାବେ ବିକାଶ କରିବା ପାଇଁ ବଦ୍ଧପରିକର । ଏହି ଶବରୀ ଭବନ ଓଡ଼ିଶାବାସୀଙ୍କ ସ୍ୱାଭିମାନର ପରିଚୟ ହେବ, ଓ ନୂଆ ପିଢ଼ି ପାଇଁ ଏକ ଅନୁପ୍ରେରଣା ରୂପେ ଦୀପ୍ତିମାନ ରହିବ। ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ମୁନା ଖାନ, ସାଂସଦ ବଳଭଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଶବରୀ ସାଂସ୍କୃତିକ ସଂସଦର ଉପଦେଷ୍ଟା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭାତ୍ରା, କୋଟପାଡ଼ ବିଧାୟକ ରୂପା ଭାତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ରାୟଗଡ଼ା ବିଧାୟକ କଦ୍ରକ ଅପଲସ୍ବାମୀ, ବିଷମ କଟକ ବିଧାୟକ ନୀଳମାଧବ ହିକ୍କା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ମଂଚାସୀନ ଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶବରୀ ସାଂସ୍କୃତିକ ପରିଷଦର ଉପ ସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ । Post navigation ରଥଯାତ୍ରା ଓ ବନ୍ୟା ପରିସ୍ଥିତିରେ ଧର୍ମଘଟ ସ୍ଥଗିତ ରଖି କାର୍ଯ୍ୟରେ ଯୋଗ ଦେବାକୁ ଓଏଏସ ସଂଘକୁ ମନ୍ତ୍ରୀଙ୍କ ଅନୁରୋଧ ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍