ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଞ୍ଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରିଟ୍ରିଟ ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କରିପାରିଛି । ଭାରତବର୍ଷରେ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ସୋନାପୁର ଏବଂ କୋଣାର୍କରେ ଏହି ସବୁ ଇକୋ-ରିଟ୍ରିଟ୍ ଗୁଡ଼ିକ ଓଡ଼ିଶାର ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିଛି । ସ୍ଥାନୀୟ ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି, ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି, ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି-ଏସବୁ କ୍ଷେତ୍ରରେ ଇକୋ-ରିଟ୍ରିଟ୍ ଏକ ମଡେଲ ଅଭିଯାନ ବୋଲି କହିବା ସହିତ ଓଡ଼ିଶାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନରେ ଏହିପରି ବ୍ୟବସ୍ଥା କରାଯାଉ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ନେବା ପାଇଁ ଓଡ଼ିଶା ଯାତ୍ରା ଆରମ୍ଭ କରିଛି । ଏଥିରେ ବିଭିନ୍ନ କ୍ଷେତ୍ର ସହିତ ପର୍ଯ୍ୟଟନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ପର୍ଯ୍ୟଟନ ହେଉଛି ଏପରି ଏକ କ୍ଷେତ୍ର, ଯାହା ନିମ୍ନ ଆୟକାରୀ ବର୍ଗଙ୍କ ମଧ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରେ । କେବଳ ସେତିକି ନୁହେଁ, ଏହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ଖାଦ୍ୟ, ଜୀବନଶୈଳୀ ସବୁକିଛିର ପ୍ରଚାର ପ୍ରସାରରେ ସହାୟକ ହୁଏ । ଭିଜନ ଓଡ଼ିଶା ଅନୁଯାୟୀ ଆମର ଲକ୍ଷ୍ୟ ହେଉଛି ଏସିଆର ଶ୍ରେଷ୍ଠ ୫ଟି Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ କରିବା । ଅତି କମ୍ରେ ୧୫ଟି ଆଇକନିକ୍ ସ୍ଥାନକୁ ବିକଶିତ କରିବା ଏବଂ ୨୫ ଲକ୍ଷ ଜୀବିକା ସୃଷ୍ଟି କରିବା ଆମର ଲକ୍ଷ୍ୟ । ଓଡ଼ିଶାରେ ଇକୋ ଟୁରିଜିମ, ଆଡଭେଞ୍ଚର ଟୁରିଜିମ, ହେରିଟେଜ ଟୁରିଜିମ, କଲ୍ଚରାଲ ଟୁରିଜିମ ଆଦି ଅନେକ ପ୍ରକାର ଟୁରିଜିମ ପ୍ରଡକ୍ଟ ପାଇଁ ସୁଯୋଗ ଭରି ରହିଛି । ୨୦୪୭ ସୁଦ୍ଧା ବର୍ଷକୁ ୫ କୋଟି ସ୍ୱଦେଶୀ ପର୍ଯ୍ୟଟକ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଓଡ଼ିଶା ତା’ର ଯାତ୍ରା ଆରମ୍ଭ କରିଛି ବୋଲି ସେ କହିଥିଲେ। Post navigation Watermanship & Life Guard Institute: ‘ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ’ ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ CRPF Jawan Shoots Self: ନୂଆପଡ଼ାରେ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ