ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନଅ ଗୋଟି ନୂତନ ଗ୍ୟାଲେରୀର ଉଦଘାଟନ କରିଛନ୍ତି । ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ , କଣ୍ଢେଇ ଗ୍ୟାଲେରୀ, ମୁଖା ଗ୍ୟାଲେରୀ, ଜନଜାତି ଗ୍ୟାଲେରୀ , ହସ୍ତତନ୍ତ ଗ୍ୟାଲେରୀ ଏବଂ ପରିଚୟ କକ୍ଷ ଆଦି ନଅ ଗୋଟି ଗ୍ୟାଲେରୀ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ୯ଟି ଗ୍ୟାଲେରୀ ବୁଲି ଦେଖିବା ସହିତ ରାଜ୍ୟ ସଂଗ୍ରହାଳୟରେ ନବ-ନିର୍ମିତ ତାଳଚିତ୍ରରେ ରାମାୟଣ ପ୍ରଦାର୍ଶନୀ କକ୍ଷ ଏବଂ ଭୂତଳ କଳା ସାମଗ୍ରୀ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଇତିହାସର ସଂଗ୍ରହାଳୟ ଏବଂ ଆମ ଅସ୍ମିତାର ଅନ୍ୟ ଏକ ପରିଚୟ । ଆଜି ରାଜ୍ୟ ସଂଗ୍ରହାଳୟରେ ୯ ଗୋଟି ଗ୍ୟାଲେରୀ ଉଦଘାଟିତ ହୋଇଛି। ଏହି ନୂତନ ଗ୍ୟାଲେରୀ ଗୁଡ଼ିକରେ ସ୍ଥାନ ପାଇଥିବା ବିଭିନ୍ନ କଳାକୃତି ଅତ୍ୟନ୍ତ ଆକର୍ଷଣୀୟ ଓ ବିରଳ । ସଂଗ୍ରହାଳୟରେ ଉଦଘାଟିତ ହୋଇଥିବା ଏହି ୯ଟି ଗ୍ୟାଲେରୀରେ ଓଡ଼ିଶାର ଇତିହାସ, ଭୂଗୋଳ, ଖଣିଜ ସମ୍ପଦ, କଳା, ସଂସ୍କୃତି, ସ୍ଥାପତ୍ୟ, ପର୍ବପର୍ବାଣୀ, ଐତିହ୍ୟ ଓ ବିବିଧତା ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ୪ଟି ପୁସ୍ତକ ମଧ୍ୟ ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ର, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । Post navigation ଆନ୍ତର୍ଜାତିକ ଶ୍ରୀ ଜଗନ୍ନାଥ ଚେତନା ମହୋତ୍ସବ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ରାଜଧାନୀରେ ‘ପୋଲିସ ମିତ୍ର’ ଯୁବକଙ୍କ ମୁଣ୍ଡ କାଟି ହତ୍ୟା