ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୨୬ର ଉଦ୍ଯାପନୀ ଅବସରରେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୫ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୪୪୨ କୋଟି ଟଙ୍କା ମୂଲ୍ୟର ୬୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ହଷ୍ଟେଲ ସୁବିଧା, ସଡକ ନିର୍ମାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ମଧ୍ୟରେ ୩୨ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବେଳାଭୂମିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ରହିଛି । ଏଥି ସହିତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି କବିସମ୍ରାଟଙ୍କ ବହୁମୂଲ୍ୟ ଅବଦାନ ପ୍ରତି ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସମ୍ମାନଜନକ ‘ଉପେନ୍ଦ୍ର ଭଞ୍ଜ ଚେୟାର’ର ପୁନଃସ୍ଥାପନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବହୁ ପୂର୍ବରୁ ଏହି ଚେୟାର ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଏହା ଦୀର୍ଘ ବର୍ଷ ଧରି ଅଚଳ ଥିଲା । ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ଚଳିତ ବର୍ଷ ଠାରୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବା ପାଇଁ ଘୋଷଣା କରିଛନ୍ତି । ଆସନ୍ତା ମଇ ୧୬ ତାରିଖରୁ କବି ସମ୍ରାଟଙ୍କ ଜୟନ୍ତୀ ୭ ଦିନ ବ୍ୟାପୀ ଉତ୍ସବ ଆକାରରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ସମୁଦ୍ର ଆଳତୀ କରିଥିଲେ । ପରେ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ପର୍ଯ୍ୟଟକ ଓ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଇତିହାସ ସବୁ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଂସ୍କୃତି ଓ ନୃତ୍ୟଗୀତର ସମ୍ଭାର । ଏଠାରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ହେଉଛି କଳା, ସଂସ୍କୃତି ଓ ପର୍ଯ୍ୟଟନର ସମନ୍ୱୟ । ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗଙ୍କ ପାଇଁ ଅପାର ସୁଯୋଗର ଉତ୍ସବ । ଏହି ମହୋତ୍ସବ ଆମ କଳାକାର ଓ କାରିଗରମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ମଞ୍ଚ ପ୍ରଦାନ କରିଆସିଛି । ଗଞ୍ଜାମ ଜିଲ୍ଲାବାସୀ ଜିଲ୍ଲାର ପ୍ରମୁଖ ବେଳାଭୂମି ଗୁଡ଼ିକୁ ବେଳାଭୂମି ମହୋତ୍ସବ ସଫେଇ ପଦଯାତ୍ରା ମାଧ୍ୟମରେ ସଫା କରି ରାଜ୍ୟକୁ ସ୍ୱଚ୍ଛ ବେଳାଭୂମି, ସୁନ୍ଦର ଓଡ଼ିଶା ବାର୍ତ୍ତା ପ୍ରଦାନ କରିଛନ୍ତି । ଏଥିପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ସେ ପୁଣି କହିଥିଲେ, ଜିଲ୍ଲାର ପଟିସୋନପୁର ବେଳାଭୂମି, ଲଗାତାର ତୃତୀୟ ଥର ପାଇଁ ବ୍ଲୁ ଫ୍ଲାଗ୍ ପ୍ରମାଣ ପତ୍ର ଅର୍ଜନ କରିଥିବା ଓଡ଼ିଶା ପାଇଁ ଗର୍ବର ବିଷୟ । ଗୋପାଳପୁର ଓ ନୋଳିଆ ନୂଆଗାଁ ବେଳାଭୂମିକୁ ମଧ୍ୟ ବ୍ଲୁ ଫ୍ଲାଗ୍ ପ୍ରମାଣ ପତ୍ର ପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହାଦ୍ୱାରା ବନ୍ଦରର ପଣ୍ୟପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍ ଟନ୍ ହେବ ଏବଂ ୫ ହଜାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ ହେବ । ଜିଲ୍ଲାର ବାହୁଦା ଠାରେ ୨୧, ୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ୍ ବନ୍ଦର ସ୍ଥାପନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ଆମର ବନ୍ଦରଭିତ୍ତିକ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ସେ କହିଥିଲେ । ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାରେ ହାସଲ ହୋଇଥିବା ସଫଳତା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ସଂସ୍କୃତି ଓ ଐତିହ୍ୟକୁ ସାଥିରେ ନେଇ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହେବାକୁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହୋତ୍ସବର ସ୍ମରଣିକା ‘ଶାମୁକା’, ଗଞ୍ଜାମ ଉପରେ ଏକ କଫି ଟେବୁଲ ବୁକ୍ ଏବଂ ଗଞ୍ଜାମ-360 ଆପ୍ର ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଜିଲ୍ଲାର କଳା, ସଂସ୍କୃତି ଓ ଶିଳ୍ପକ୍ଷେତ୍ରର ବିକାଶ ପାଇଁ ଆଜିକୁ ମିଶାଇ ୮ ଥର ଜିଲ୍ଲାକୁ ଆସିଲେଣି। ଓଡ଼ିଶାର ବିକାଶ ସହିତ କଳା, ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏବଂ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ପ୍ରଥମେଶ ଅରବିନ୍ଦ ରାଜଶୀରକେ ଧନ୍ୟବାଦ ଅର୍ପଣ କରିଥିଲେ । Post navigation Odisha Politics: ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି Mayurbhanj Mahotsav 2026: ରାଜଧାନୀରେ ରାଜ୍ୟପାଳଙ୍କ ଦ୍ୱାରା ମୟୂରଭଞ୍ଜ ଉତ୍ସବ ଉଦଘାଟିତ