ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ ନିନ୍ଦା କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଢ଼ ଦାବି ଜଣାଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ସରକାରଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତରୀ ଛାତ୍ରୀ ଜଣଙ୍କ ଶୁକ୍ରବାର ରାତି କ୍ୟାମ୍ପସ୍ ବାହାରେ ଥିବା ଏକ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିଲେ । ଖାଇସାରି ଫେରିବା ସମୟରେ ରାସ୍ତାରେ ୪ ରୁ ୫ ଜଣ ଅଜ୍ଞାତ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଆରଜି କର୍ ମେଡିକାଲ୍ କଲେଜ ଘଟଣା ଘଟିବାର କିଛି ମାସ ନପୁରୁଣୁ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡ଼ିତା ମେଡିକାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । Post navigation ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଟ୍ଵିଷ୍ଟ; ପଦ୍ମ ଧରିଲେ ଜୟ ଢୋଲକିଆ ରାଜୁ ଢୋଲକିଆଙ୍କ ରକ୍ତ ପୋଷ୍ୟପୁତ୍ର ଜୟଙ୍କ ଦେହରେ ନାହିଁ: ବିଜେଡି