ଆଜି ପବିତ୍ର ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ମକର ଚଉରାସୀ ବେଶ ଅନୁଷ୍ଠିତ ହେବ। ଏକମାସ ବାପ ଘରେ ବିତାଇ ଶ୍ରୀମନ୍ଦିରକୁ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତ୍ୟାବର୍ତନ ନେଇ ଆଜି ମକର ସଂକ୍ରାନ୍ତି ଥିବାରୁ ମଙ୍ଗଳବାର ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼। ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ମକର ଚାଉଳ ଓ ମକର ଚଉରାଶି ଭୋଗ ଲାଗି ହେବ। ସ୍ୱତନ୍ତ୍ର ମକର ତାଡ଼ରେ ହିଁ ମକର ଚାଉଳ ଭୋଗ କରାଯିବ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ବଢିଲା ପରେ କୁମ୍ଭାର ବିଶୋୟୀ ସେବକମାନେ ବାଘମୁହାଁ ବାନ୍ଧି ମା’ ଆଲାମଚଣ୍ଡୀ ଠାକୁରାଣୀଙ୍କ ପୀଠରୁ ଘଣ୍ଟ ଛତା କାହାଳି ସହିତ ୫ଟି ମକର ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଇଛନ୍ତି। ମକର ତାଡ଼ ଶ୍ରୀମନ୍ଦିର ଭିତର ବେଢାରେ ଗୋଟିଏ ଥର ବୁଲାଇ ଅଚିନ୍ତା ପହଣ୍ଡି ରୋଷ ବେହେରଣ ଠାରେ ରଖାଯାଇଛି। ତେବେ ମକର ସଂକ୍ରାନ୍ତିର ମୁଖ୍ୟ ଭୋଗ ହେଉଛି ମକର ଚାଉଳ ଭୋଗ । ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ । ଏହି ଭୋଗ ଦେଇ କେତେକ ଲୋକେ ‘ମକର’ ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ । ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥାଏ । ଅନ୍ୟପଟେ ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ନିଜେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଉତ୍ସାହ, ଉଦ୍ଦୀପନା ଓ ପରମ୍ପରାର ପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ଓଡିଶାର ଏହି ମହାନ ପରମ୍ପରା ଆମ ସାମାଜିକ ଏକତା ଓ ସଂହତିକୁ ଆହୁରି ସୁଦୃଢ଼ ଦୃଢ଼ କରୁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରଗତିର ଧାରା ଅବ୍ୟାହତ ରହୁ ଏବଂ ପ୍ରତ୍ୟେକ ପରିବାରରେ ହସଖୁସି ଭରିଯାଉ। Post navigation Lingaraj Rituals Halted: ସେବାୟତଙ୍କ ବିବାଦ; ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ