ଭାରତୀୟ ଜନତା ପାର୍ଟିର ପ୍ରାୟ ସବୁ ଶୀର୍ଷ ନେତାଙ୍କର ବୈଠକକୁ ନେଇ ଦଳ ଭିତରେ ଏବଂ ବାହାରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବୈଠକର ଅଧ୍ଯକ୍ଷତା କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ, ଥିଲେ ପ୍ରଭାରୀ ବିଜୟପାଲ ସିଂହ ତୋମର । ରାଜ୍ୟ ସଭା ନିର୍ବାଚନ ପାଖେଇ ଆସୁଥିବା ସମୟରେ ଏହି ବୈଠକର ସ୍ଵତନ୍ତ୍ର ରାଜନୈତିକ ଗୁରୁତ୍ଵ ଥିବା କଥା କୁହାଯାଉଛି। ଆଉ ଦୁଇ ଦିନ ପରେ ବିଧାନସଭା ଅଧୀବେଶନର ପ୍ରଥମ ପର୍ବ ସରିବ। ଅନ୍ୟ ଏକ ସୂଚନା ମୁତାବକ ଏହାପରେ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯିବେ । ସେ ଦୃଷ୍ଟିରୁ ଏହି ବୈଠକର ଗୁରୁତ୍ବ ମଧ୍ୟ ବଢିଛି। ଯେଉଁ ସବୁ କଥାକୁ ନେଇ ବଳ ଅଡୁଆ ସୂତାରେ ଛନ୍ଦି ହୋଇପଡିଛି ତାକୁ ଫିଟାଇବା ପାଇଁ ଆଜିର ବୈଠକ ଏକ ଶେଷ ଉଦ୍ୟମ ବୋଲି ମନେ କରାଯାଉଛି। ଅଡୁଆଟି ହେଲା ଦୁଇ ବର୍ଷ ପୂରଣ ହେବାକୁ ଗଲାଣି କିନ୍ତୁ ବୋର୍ଡ଼ ଏବଂ ନିଗମ ନିଯୁକ୍ତି ହୋଇପାରିଲା ନାହିଁ। ଏହା ସୂଚାଇ ଦେଉଛି ଯେ, ଦଳ ଭିତରେ ନିଗମ ଓ ବୋର୍ଡ଼ ଥଇଥାନକୁ ନେଇ ପ୍ରବଳ ଅନ୍ତଦ୍ବନ୍ଦ ଅଛି । ସେଥିପାଇଁ ପୂର୍ବରୁ ଏକାଧିକଥର କୋର କମିଟି ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇପାରିନାହିଁ। ତେବେ କ’ଣ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଗମ ଓ ବୋର୍ଡ଼ ନିଯୁକ୍ତି ହେବ କି ? ଏ ସମ୍ପର୍କରେ ହାଇକମାଣ୍ଡଙ୍କ ସହ କ’ଣ ଆଲୋଚନା ପାଇଁ ଯାଉଛନ୍ତି କି ? ଏହାକୁ ନେଇ ମଧ୍ୟ ଗୁଞ୍ଜରଣ ଆରମ୍ଭ ହୋଇଛି । ଆସନ୍ତା ୨୫ ଓ ୨୬ରେ ସଂଘର ଅଭ୍ୟାସ ବର୍ଗ ଆରମ୍ଭ ହେବ। ତେଣୁ ଏହାପରେ ଚିତ୍ର ସ୍ପଷ୍ଟ ହେବ ବୋଲି ମନେ କରାଯାଉଛି ।ରାଜ୍ୟସଭା ନିର୍ବାଚନକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥାଇପାରେ। କିନ୍ତୁ ଭାଜପା ଯେଉଁ ୩ଜଣଙ୍କୁ ପ୍ରାର୍ଥୀ କରିବ ସେ ସମ୍ପର୍କରେ ରାଜ୍ୟ ନେତୃତ୍ୱ ନୁହେଁ ହାଇକମାଣ୍ଡର ହିଁ ନିଷ୍ପତ୍ତି ନେବେ । ବିଭିନ୍ନ ନେତା ନାମ ସୁପାରିଶ କରିପାରନ୍ତି । ଇତି ମଧ୍ୟରେ କିଛି କିଛି ନେତା ଦିଲ୍ଲୀ ଯାଇ ଲବି କରୁଛନ୍ତି । ଓଡ଼ିଶାରୁ ଯେଉଁ ୨ଜଣଙ୍କ ନା ଚୂଡାନ୍ତ ହେବ ତାକୁ ନେଇ ମଧ୍ୟ ଦଳ ଭିତରେ ଘୋର ମତପାର୍ଥକ୍ୟ ରହିଛି। ଭାଜପା ଭିତରେ ଥିବା ଅଡୁଆ ସୂତାକୁ ତୁଙ୍ଗନେତାମାନେ ଖୋଲିପାରୁଛନ୍ତି ନା ନାହିଁ ତାହା ଆସନ୍ତା ସପ୍ତାହରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। Post navigation Mukul Roy Passes Away: ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ Massive Road Works Scam: ୨ କି.ମି ରାସ୍ତାକୁ ୪.୬୬ କୋଟି, ୩ ମାସରେ ଫଡ଼ାଫଡ଼ା