ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍। ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି । ସେ କହିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ । ମୋ ତରଫରୁ ଯାହା କିଛି ହୋଇପାରିବ, ମୁଁ ନିଶ୍ଚୟ କରିବି । ପୀଡ଼ିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି । ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି, ନିଶ୍ଚୟ ଦଣ୍ଡ ମିଳିବ ।

ଅନ୍ୟପଟେ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । ଏହା ସହ ଆହୁରି ୨ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସର ସ୍ପେସାଲ ଟିମ୍‌ କ୍ରାଇମ । ସ୍ପଟ୍‌ରେ ପୋଲିସ ଓ ତଦନ୍ତକାରୀ ଟିମ୍‌ର ତନାଘନା ଜାରି ରହିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଯୋଗ୍ୟ; ଗତକାଲି ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ୍‌ କଲେଜର ଦ୍ବିତୀୟ ବର୍ଷର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ଘର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ । ଛାତ୍ରୀ ଜଣକ ପଶ୍ଚିମବଙ୍ଗରେ ଦ୍ୱିତୀୟ ବର୍ଷର ମେଡିକାଲ କଲେଜରେ ପଢିଥିଲେ। ଶୁକ୍ରବାର ରାତି ପ୍ରାୟ ୮.୩୦ ରୁ ୯ ଟା ବେଳେ ସେ ଜଣେ ବନ୍ଧୁଙ୍କ ସହିତ ଖାଇବାକୁ ଯାଇଥିଲେ। ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଉଠାଇ ନେଇଥିଲେ। ସେମାନେ ତାଙ୍କୁ କ୍ୟାମ୍ପସ ପଛପଟେ ଥିବା ଏକ ଜଙ୍ଗଲକୁ ନେଇଯାଇଥିଲେ, ଯେଉଁଠାରେ ସେମାନେ ତାଙ୍କୁ ଧର୍ଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *