ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଦେବ ପ୍ରସାଦ ଦାଶଙ୍କୁ ମିଳିଲା ନ୍ୟାୟ। ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ଵ ପ୍ରଦାନ କରାଯାଇଛି। ୨୦୧୮ ମେ ୨୮ ତାରିଖରେ ତତ୍କାଳୀନ ରାଜ୍ୟ ସରକାର ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ।
ପୂର୍ବରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟେଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ବେ ପୂର୍ବ ସରକାର ହାଇକୋର୍ଟଙ୍କ ଆଦେଶ ଅବମାନନା କରି ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇନଥିଲେ। ତାଙ୍କୁ ନ୍ୟାୟ ମିଳିବା ନେଇ ନିର୍ଭୟ ଖବରକାଗଜରେ ମଧ୍ୟ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏବେ ତାଙ୍କୁ ନ୍ୟାୟ ମିଳିଥିବା ବେଳେ ନିର୍ଭୟର ମଧ୍ୟ ପ୍ରଭାବ ମଧ୍ୟ ରହିଛି। ଏ ନେଇ ଶ୍ରୀ ଦାସ ବହୁ ପୂର୍ବରୁ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ କହିଥିଲେ ମୁଁ ଜାଣିନି ମୋର ଭୁଲ କ’ଣ। ସେ କହିଥିଲେ ମୁଁ ଜଣେ ସ୍ବାଭିମାନୀ ଓଡ଼ିଆ ଅଫିସର ଓ ଅସହିଷ୍ଣୁତା ପାଇଁ ହୁଏତ ସରକାର ନିଲମ୍ବନ କରିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅଣଓଡ଼ିଆ ଲୋକଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ସତ କହିଲେ ତିଷ୍ଠିବା ସହଜ ନୁହେଁ। ସେଥିପାଇଁ ହୁଏତ ସରକାରଙ୍କୁ ହଜମ ହେଲାନି। ବାହାର ରାଜ୍ୟରେ ଓଡ଼ିଆ ଲୋକଙ୍କୁ ପ୍ରଧାନ୍ୟ ଦିଆଯାଉଛି ହେଲେ ଓଡ଼ିଶାରେ ନୁହେଁ।
ସେ କହିଥିଲେ, ଯଦି ମୁଁ ଦୁର୍ନୀତି କରିଥିବି ତେବେ ନିଜ ଆଡ଼ୁ ଇସ୍ତଫା ଦେଇ ଚାଲିଯିବି। ତା’ର ତଦନ୍ତ ମଧ୍ୟ କରାଯାଉ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।