Nuapada By-Poll: BJD Delegation Meets CEO Alleging BJP using Govt Property
ବିଜେଡିର ବରିଷ୍ଠ ନେତୃବୃନ୍ଦ ଆଜି ସିଇଓଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଲଗାଯାଇଥିବା ସମସ୍ତ ଅବୈଧ ବ୍ୟାନର ଏବଂ ହୋର୍ଡିଂ ତୁରନ୍ତ ହଟାଇବା ପାଇଁ ବିଜେଡି ଦାବି କରିଛି ।
 
ନୂଆପଡ଼ା ଉପନିର୍ବାଚନରେ ସରକାରୀ ସମ୍ପତ୍ତିର ଦୂରୁପଯୋଗ କରିବାକୁ ପଛାଇ ନାହିଁ ବିଜେପି । ଆଦର୍ଶ ଆଚରଣ ବିଧିକୁ ଖାତିର କରୁନାହିଁ ଶାସକ ଦଳ । ଶାସକ ଦଳର ପୋଷ୍ଟର ପ୍ରତି ପ୍ରଶାସନ ଆଖି ବୁଜି ଦେଉଛି, କିନ୍ତୁ ନ୍ୟାୟ ସଙ୍ଗତ ଭାବେ ଲାଗିଥିବା ବିଜେଡିର ପୋଷ୍ଟର, ବ୍ୟାନରକୁ କାଢ଼ି ଫିଙ୍ଗି ଦେଉଛନ୍ତି । ଏପରି ସମ୍ୱେଦନଶୀଳ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜୁ ଜନତା ଦଳ ।
 
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ପ୍ରଚାର ପାଇଁ ସରକାରୀ ସମ୍ପତ୍ତିର ବ୍ୟବହାର କରୁଛନ୍ତି । ବିଦ୍ୟୁତ ଖୁଣ୍ଟ, ସାଇନ୍ ବୋର୍ଡ ଏବଂ ନୂଆପଡା ଓ ଖରିଆର ଏନ୍ଏସି ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ନମ୍ୱର ୩୫୩ ରେ ବିଜେପି ପ୍ରଚାର ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି । ଏହି ବ୍ୟାନର ଓ ହୋର୍ଡିଂ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ବିଜେପିର ଅନ୍ୟାନ୍ୟ ନେତାଙ୍କ ଛବି ରହିଛି ।
 
ବିଜୁ ଜନତା ଦଳ ଏହାକୁ ସରକାରୀ ସମ୍ପତ୍ତିର ସ୍ପଷ୍ଟ ଦୁରୁପଯୋଗ ଏବଂ ନିର୍ବାଚନ ଆଚରଣ ବିଧିର ଗଭୀର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଛି । ଏଥି ସହିତ ବିଜେଡି ଆଇନଗତ ଭାବେ ଲଗାଇଥିବା ପୋଷ୍ଟର ବ୍ୟାନର ଆଦି କେଉଁ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ହଟାଇଲେ ତାହାର ନିରପେକ୍ଷ ତଦନ୍ତ କରିବା ପାଇଁ ମଧ୍ୟ ବିଜେଡି ସିଇଓଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛି ।
 
ସିଇଓଙ୍କୁ ଅଭିଯୋଗ ଦାଖଲ ସମୟରେ ବିଜେଡି ପ୍ରତିନିଧି ମଣ୍ଡଳୀରେ ଡ଼ ଲେନିନ ମହାନ୍ତି, ସୁଲତା ଦେଓ, ମିହିର ରାୟ, ଇଲା ସ୍ୱାଇଁ, ରୀତାଞ୍ଜଳି ପ୍ରଧାନ, ସଂଗ୍ରାମ ମହାପାତ୍ର, ଲୋରା ମହାପାତ୍ର ଏବଂ ଅଂଶୁ ତ୍ରିପାଠୀ ସାମିଲ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *