ଆଗାମୀ ପାର୍ବଣ ଋତୁ ପୂର୍ବରୁ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଜୋରଜବରଦସ୍ତ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପୂଜା ପାର୍ବଣ ସମୟରେ ଯଦି କେହି ବଳପୂର୍ବକ ଚାନ୍ଦା ଆଦାୟ କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ଗିରଫ କରାଯିବ।

ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ସାଧାରଣ ନାଗରିକଙ୍କୁ ଚାନ୍ଦା ନାଁରେ ହଇରାଣ ହରକତ କରାଯାଇପାରିବ ନାହିଁ। ଯଦି କାହାକୁ ଚାନ୍ଦା ପାଇଁ ବାଧ୍ୟ କରାଯାଏ, ତେବେ ସେମାନେ ତୁରନ୍ତ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ୮୨୮୦୩୩୮୩୦୨ରେ ପୋଲିସକୁ ଜଣାଇପାରିବେ। ଅଭିଯୋଗ ମିଳିବା କ୍ଷଣି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏହି ସମ୍ପର୍କରେ ବିଭିନ୍ନ ପୂଜା କମିଟି, ପୂଜା ମଣ୍ଡପ ଏବଂ ସାଧାରଣ ଜନତାଙ୍କୁ ସଚେତନ କରାଯାଇଛି। କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହେବାକୁ କମିଶନରେଟ୍ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି।

Leave a Reply

Your email address will not be published. Required fields are marked *