ରାଜନୀତିର ଦୋଛକିରେ ନୁହେଁ ଚଲମୁହାଁଣିରେ ପଢ଼ିଛି ବିଜୁ ଜନତା ଦଳ। ପ୍ରଥମ ଆଶଙ୍କା ହେଲା, ନବୀନଙ୍କ ପରେ ଦଳ ସମ୍ଭାଳିବ କିଏ ? ଦ୍ଵିତୀୟ ଆଶଙ୍କାଟି ହେଲା, ବ୍ଲକସ୍ତର ସଂଗଠନକୁ ନେଇ । ଭାଜପା ଗୋଟିଏ ପରେ ଗୋଟିଏ ବ୍ଲକ୍ରେ ବିଜଦକୁ ଭାଙ୍ଗି ଚାଲିଛି । ତୃତୀୟଟି ହେଲା, ପରାଜୟ ଆତ୍ମବିଶ୍ଵାସକୁ ଚୁରମାର କରିଦେଇଛି। ଚତୁର୍ଥ ଅଥତ ଗୁରୁତ୍ବ ପୂର୍ଣ୍ଣ ବିନ୍ଦୁଟି ହେଲା, ଏପର୍ଯ୍ୟନ୍ତ ପାଣ୍ଡିଆନଙ୍କ ମୋହ ତୁଟାଇ ପାରୁନାହାନ୍ତି ନବୀନ। ରାଜ୍ୟସଭାର ୭ ବିଜଦ ସଦସ୍ୟଙ୍କ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ କେତେଦୂର ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ନୂଆ ବିଶ୍ଵାସ ସୃଷ୍ଟି କରିବ ? ଏହାର ଉତ୍ତର ସମୟ ହିଁ ଦେବ । ୨୬ ତାରିଖରେ ବିଜଦ ପାଳନ କରିବ ୨୮ତମ ପ୍ରତିଷ୍ଠା ଦିବସ। ଜାନୁଆରୀରେ ଭାଜପା ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ନିଷ୍ପତି ନେଇଛି। କିନ୍ତୁ ଏହା ନୂତନ ଭରସା ସୃଷ୍ଟି କରିବା ନେଇ ଆଶା ଅପେକ୍ଷା ଅଧିକ ଆଶଂକା ବଢ଼ାଉଛି। ପ୍ରଥମେ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ୭ ରାଜ୍ୟସଭା ସାଂସଦଙ୍କ ସାମ୍ବାଦିକ ସମ୍ମିଳନୀର ସ୍ଵର୍ ଏବଂ ଆବେଗକୁ ତର୍ଜମା କରାଯାଉ । ବିଜଦରେ ଥିଲୁ, ଅଛୁ ଓ ରହିବୁ- ଏହା କେତେଦୂର ଯୁକ୍ତିସଂଗତ ? ୭ ଜଣଙ୍କ ମଧ୍ୟରୁ ମୁନ୍ନା ଖାଁ, ସୁଲତା ଦେଓ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କୁ ଛାଡି ଦେଲେ ଅନ୍ୟ ୪ ଜଣ ମୂଳରୁ ବିଜଦରେ ନଥିଲେ । ସାମନ୍ତରାୟଙ୍କ ବାପା ଦେବାଶିଷ ନିତ୍ଯାନନ୍ଦ ସାମନ୍ତରାୟ କଂଗ୍ରେସର ଜଣେ ବଡ଼ ନେତା। ଦେବାଶିଷ ୨୦୦୦ ମସିହାରେ ବିଜଦକୁ ଆସିଲେ । ଡ. ସସ୍ମିତ ପାତ୍ର କଂଗ୍ରେସ ନେତା ଥିଲେ । ନବୀନ ପଟନାୟକଙ୍କୁ କଟୁ ସମାଲୋଚନା କରୁଥିଲେ । ମାନସ ମଙ୍ଗରାଜ କଂଗ୍ରେସ ଟିକଟରେ ଲଢ଼ିଥିଲେ। ନିରଞ୍ଜନ ବିଶି ପ୍ରଖର ବିଜଦ ଓ ନବୀନ ସମାଲୋଚକ ଥିଲେ। ସୁତରାଂ ବିଜଦ ଦ୍ବାହି ଦେଇ ରହିବୁ ବୋଲି କହିଲେ ତାହା ବିଶେଷଭାବେ ଜନତାଙ୍କୁ ପ୍ରଭାବିତ କରିବ ନାହିଁ । ୭ଜଣ ଯାକ କେହି ବିଜୁ ପରିବାର ସହ ସମ୍ପୃକ୍ତ ନଥିଲେ। ସେମାନେ ନବୀନ ପରିବାରର ବୋଲି ଦାବି କରିପାରନ୍ତି । ତେଣୁ ଆମେ ସମସ୍ତେ ବିଜୁ ପରିବାରର ଲୋକ କହିଲେ କିଏ ବିଶ୍ବାସ କରିବ ? ବିଜୁ ପରିବାରର ଅସଲ ନେତାମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ନବୀନ ଚଢ଼ି ଦେଇସାରିଛନ୍ତି । ଏବେ ବିଜୁ ଜନତା ଦଳରେ ନବୀନ ଓ ପାଣ୍ଡିଆନ ମାର୍କା ନେତାଙ୍କ ସଂଖ୍ୟା ପ୍ରବଳ। ଶେଷ ନିଶ୍ବାସ ଯାଏ ବିଜଦରେ ରହିବେ ବୋଲି ରାଜ୍ୟସଭା ସାଂସଦଙ୍କ ଶପଥ କେତେ ଦୂର ଯାଏ ଯିବ ? ଅରବିନ୍ଦ କେଜ୍ରି ୱାଲ କେବେ ବି କଂଗ୍ରେସ ସହ ବୁଝାମଣା କରିବି ନାହିଁ ବୋଲି ଶପଥ ନେଇଥିଲେ । କ’ଣ ହେଲା ସେ ଶପଥ ? ହିନ୍ଦୁ ହୃଦୟର ସମ୍ରାଟ ବାଲାସାହେବ ଠାକରେଙ୍କ ପୁଅ ଉଦ୍ଧବ କଂଗ୍ରେସ ଓ ଶରଦ ପାୱାରଙ୍କ ସହ ସମ୍ପର୍କ ରଖିଲେ କେମିତି ? ତେଣୁ ରାଜନୀତିରେ ଶପଥ ଓ ପ୍ରତିଶ୍ରୁତିର କୌଣସି ମାନେ ନଥାଏ। ୨୦୧୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ‘ମହାନଦୀ ପାଇଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢ଼ିବି’ ବୋଲି କହି ନଥିଲେ କି ? ୨୦୧୮ ପରେ ମହାନଦୀ କିଏ ନା ନବୀନ କିଏ ? Post navigation ସଂସଦରେ ହଙ୍ଗାମା: ଧକ୍କା ରେ ପ୍ରତାପ ଷଡ଼ଙ୍ଗୀ ଆହତ; ରାହୁଳ ଗାନ୍ଧୀଙ୍କ ଉପରେ ଆରୋପ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ