NGT orders demolition of illegal panchayat office
ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଞ୍ଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପଞ୍ଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
 
ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡିଏଫଓ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଥିଲା ।
 
ଏହି ମାମଲାରେ ରାଜ୍ୟ ସରକାର, ରାଜ୍ୟ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସପି, ରଣପୁର ତହସିଲଦାର, ଝାଡପଡା ପଞ୍ଚାୟତ, ସରପଞ୍ଚ ଓ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ନୋଟିସ ଜାରି ହୋଇଥିଲା । ଝାଡପଡା ଗାଁର ନିତ୍ୟାନନ୍ଦ ଜେନା କିଛି ବର୍ଷ ତଳେ ସେହି ମୌଜାର ଖାତା ନମ୍ବର ୩୮୭, ପ୍ଲଟ ନମ୍ବର ୧୭୯୩ ରେ ବେଆଇନ ଭାବେ ଏକ ଗୃହ ନିର୍ମାଣ କରିଥିଲେ । କାରଣ ଏହି ଜମିର ସାବିକ କିସମ ଜଙ୍ଗଲ ଥିବାରୁ ଏଠାରେ ବିନା ଅନୁମତିରେ କୌଣସି ନିର୍ମାଣ କାର୍ଯ୍ୟ କରିହେବ ନାହିଁ କିମ୍ବା ଏହି ଜମି କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ ।
ଏହା ପରେ ସେହି ଘରକୁ ଝାଡପଡା ପଞ୍ଚାୟତ ଅଫିସ ଭାବେ ବ୍ୟବହାର କରାଗଲା । ଝାଡପଡା ପଞ୍ଚାୟତ ପକ୍ଷରୁ ସେହି ଖାତା ନମ୍ବରରେ ଥିବା ପ୍ଲଟ ନମ୍ବର ୧୭୯୫କୁ ପଞ୍ଚାୟତ ନାମରେ ହସ୍ତାନ୍ତର କରିବାକୁ ରଣପୁର ତହସିଲ ନିକଟରେ ଆବେଦନ କରିଥିଲେ । କିନ୍ତୁ ତହସିଲଦାର ଏହାକୁ ଖାରଜ କରିଥିଲେ । ପଞ୍ଚାୟତ ପକ୍ଷରୁ ପରେ ଉପ-ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା । ତାହା ମଧ୍ୟ ଖାରଜ ହେଲା । ଏହି ଜମିର ସାବିକ କିସମ ଜଙ୍ଗଲ ହୋଇଥିବାରୁ ଏହା ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ଉପ-ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶରେ କହିଥିଲେ ।
ଏହା ବିରୋଧରେ ପଞ୍ଚାୟତ, ଓଡିଶା ହାଇକୋର୍ଟରେ ମଧ୍ୟ ଅପିଲ କରିଥିଲେ । ତାହା ମଧ୍ୟ ଖାରଜ ହୋଇଥିଲା । ପଞ୍ଚାୟତ ଅଫିସ ପାଇଁ ଆଉ ଏକ ଉପଯୁକ୍ତ ଯାଗା ଚୟନ କରିବାକୁ ହାଇକୋର୍ଟ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପଞ୍ଚାୟତ ପକ୍ଷରୁ ପ୍ଲଟ ନମ୍ବର ୧୭୯୩ ରେ ଥିବା ଘର ପାଖରେ ଆଉ ଏକ ଗୃହ ନିର୍ମାଣ କରିବାକୁ ଉଦ୍ୟମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ । ଏହାକୁ ନେଇ ଝାଡପଡା ଗ୍ରାମର ବାସିନ୍ଦା ରବିନ୍ଦ୍ର ପ୍ରଧାନ ଏନଜିଟି ନିକଟରେ ମାମଲା ରୁଜୁ କରିଥିଲେ । ଏନଜିଟି ନିର୍ଦ୍ଦେଶରେ ଗଠନ ହୋଇଥିବା କମିଟି ତଦନ୍ତ କରି ଜଙ୍ଗଲ ଜମି ଉପରେ ନିର୍ମାଣ କରାଯାଇଥିବା ରିପୋର୍ଟ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ଏହି ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କହିଥିଲେ । ଏହି ଆଧାରରରେ ଜଙ୍ଗଲ ଜମି ଉପରେ ବେଆଇନ ନିର୍ମାଣକୁ ଭାଙ୍ଗିବା ସହ ନୂତନ ନିର୍ମାଣ ଉପରେ ରୋକ ଲଗାଇବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ଏହି ବେଆଇନ ଘରକୁ ଭାଙ୍ଗିବା ଲାଗି ନୟାଗଡ ଜିଲ୍ଲାପାଳଙ୍କୁ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି. ଆବେଦନକାରୀଙ୍କ ପକ୍ଷରୁ ଓଡିଶା ହାଇକୋର୍ଟର ଆଇନଜୀବୀ ଅଖଣ୍ଡ ଏହି ମାମଲା ପରିଚାଳନା କରୁଥିଲେ ।

By Nirvay

Leave a Reply

Your email address will not be published. Required fields are marked *