ବେଆଇନ ଖଣି ଖନନ ମାମଲାରେ ରିପୋର୍ଟ ଦାଖଲ ନକରିବା କାରଣରୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ (ଏନର୍ଜିଟି) ଓଡ଼ିଶା ସରକାରଙ୍କ ଉପରେ ଲଗାଇଛି ଜରିମାନା । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଅଞ୍ଚଳରେ ଚାଲିଥିବା ବ୍ୟାପକ ବେଆଇନ ଖଣି କାର୍ଯ୍ୟକୁ ନେଇ ଓଡ଼ିଶା ରିମୋଟ୍ ସେନସିଂ ଆପ୍ଲିକେସନ ସେଣ୍ଟର ରିପୋର୍ଟ ଦାଖଲ କରିନଥିଲା। ଯେଉଁ କାରଣରୁ ଏହି ଓଡ଼ିଶା ସରକାରଙ୍କ ଉପରେ ଏହି ଝଟକା ଲଗାଇଛି ଏନଜିଟି।

ଗତ ୧୭ ଫେବୃୟାରୀରେ ଟ୍ରିବ୍ୟୁନାଲ ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଖନନ ପରିମାଣ ସମ୍ପର୍କରେ ଓଡ଼ିଶା ରିମୋଟ୍ ସେନସିଂ ଆପ୍ଲିକେସନ ସେଣ୍ଟର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କହିଥିଲେ ଯେ, ଯଦି ପଥର କ୍ରସରମାନେ ବେଆଇନ ଖଣି ଖନନରେ ନିୟୋଜିତ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶକୁ ୬ ମାସ ବିତି ଯାଇଥିଲେ ମଧ୍ୟ ଓଡ଼ିଶା ରିମୋଟ୍ ସେନ ସିଂ ଆପ୍ଲିକେସନ ସେଣ୍ଟର ରିପୋର୍ଟ ଦାଖଲରେ ବିଫଳ ହୋଇଛି। ଏହି ସୂଚନା ଦେଇଛନ୍ତି ଆବେଦନକାରୀ ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନେବୁଲ୍ ଏନଭାୟାରମେଣ୍ଟ ଟ୍ରଷ୍ଟର ଓକିଲ ଶଙ୍କର ପାଣି।

ଏନଜିଟି ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ କମିଶନଙ୍କ ନିକଟରେ ଦାଖଲ ସହ ଜରିମାନା ରାଶି ୧୦ ହଜାର ଟଙ୍କା ସଚିବ ବାର ଆସୋସିଏସନ ଏନର୍ଜିଟି, ପ୍ରିନ୍ସପାଲ୍ ବେଞ୍ଚ ଦିଲ୍ଲୀକୁ ୩୦ ଦିନ ଭିତରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏହି ସୋସାଇଟି ଏନଜିଟିରେ ଗଁଦିଆ ତହସିଲର ନିହଲପ୍ରସାଦ ମୌଜାର ନିଶ୍ଚିନ୍ତା ପାହାଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଖଣି ଖନନ ହେଉଥିବାର ଅଭିଯୋଗ ଆଣିଥିଲା । ଏହା ଜଙ୍ଗଲ ସଂରକ୍ଷଣ ଆଇନର ଉଲ୍ଲଙ୍ଘନ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଅଭିଯୋଗରେ ଜଙ୍ଗଲ ଜମିରେ ବେଆଇନ ପଥର କ୍ରସର ଥିବାର ପ୍ରମାଣ ମଧ୍ୟ ଦିଆଯାଇଥିଲା। ବନରେଞ୍ଜ ଅଧିକାରୀଙ୍କ ସଲାସୁତୁରାରେ ପଥର ମାଫିଆ ଏହି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା ଏନର୍ଜିଟିରେ । ଏନର୍ଜିଟି ଏହି ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଖନନ ପରିମାଣ ସମ୍ପର୍କରେ ରିପୋର୍ଟ ଦାଖଲର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିରେ ବିଫଳ ହେବାରୁ ଏବେ ଲାଗିଛି ଏନର୍ଜିଟି ଛାଟ।

Leave a Reply

Your email address will not be published. Required fields are marked *