ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ କ୍ଷମା ମାଗିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)। ବିବାଦୀୟ ବିଷୟ ‘ନ୍ୟାୟପାଳିକା ଦୁର୍ନୀତି’ ବିଷୟକୁ ନେଇ କ୍ଷମା ପ୍ରାର୍ଥନା କରିଛି ଏନସିଆରଟି ।

ଏନସିଇଆରଟିର ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନରେ ନ୍ୟାୟାପାଳିକାରେ ଦୁର୍ନୀତି ହେଉଥିବା ନେଇ ଏକ ଅଧ୍ୟାୟ ଯୋଡିଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗୁରୁବାର ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏନସିଇଆରଟି ପୁସ୍ତକକୁ ନେଇ ବିବାଦ ଅଧିକ ଘନେଇବା ପରେ କେନ୍ଦ୍ର ସରକାର ନିଃସର୍ତ୍ତ କ୍ଷମା ମାଗିଛନ୍ତି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଅନୁଚିତ ବିଷୟବସ୍ତୁ ଅନ୍ତର୍ଭୁକ୍ତ କରିବା ପାଇଁ କ୍ଷମା ପ୍ରାର୍ଥନା କରିଛି।

ସମ୍ପୂର୍ଣ୍ଣ ଅଜାଣତରେ ଏଭଳି ଭୁଲ ହୋଇଥିବା ବୋଲି ବର୍ଣ୍ଣନା କରିଛି ଏନସିଆରଟି । ତେବେ ବିବାଦୀୟ ଅଧ୍ୟାୟଟି ଏବେ ଯଥୋଚିତ କର୍ତ୍ତୃପକ୍ଷମାନଙ୍କ ସହିତ ପରାମର୍ଶ କରି ପୁନର୍ଲିଖନ କରାଯିବ ଏବଂ ୨୦୨୬-୨୭ ଶିକ୍ଷାବର୍ଷରୁ ଛାତ୍ରମାନଙ୍କ ପାଇଁ ପୁନଃପ୍ରକାଶିତ ହେବ ବୋଲି ଏନସିଆରଟି କହିଛି ।

ସୁପ୍ରିମ୍‌କୋର୍ଟଙ୍କ ତୀବ୍ର ସମାଲୋଚନା ପରେ, ବିଚାରପତିମାନଙ୍କ ଦୁର୍ନୀତି ପୁସ୍ତକର ବଣ୍ଟନକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହାକୁ “ନ୍ୟାୟପାଳିକା ବିରୁଦ୍ଧରେ ଏକ ଗଭୀର ଷଡ଼ଯନ୍ତ୍ର” ବୋଲି କହି ପ୍ରଚଳିତ କପିଗୁଡ଼ିକୁ ତୁରନ୍ତ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦୁଇ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦେବାକୁ କହିଛନ୍ତି। “ଏହି ଛୋଟ ବୟସରେ ଛାତ୍ରମାନଙ୍କୁ ପକ୍ଷପାତପୂର୍ଣ୍ଣ ଭୁଲ ଧାରଣାରେ ପକାଯିବା ମୌଳିକ ଭାବରେ ଭୁଲ,” ସିଜେଆଇ କହିଛନ୍ତି।

ଏହା ପୂର୍ବରୁ ଏନସିଇଆରଟି ନିକଟରେ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ପାଠ୍ୟକ୍ରମ ଜାରି କରିଛି । ଏଥିରେ ଅଦାଲତରେ ଦୁର୍ନୀତି ପରି ପ୍ରସଙ୍ଗକୁ ନେଇ ନୂଆ ଅଧ୍ୟାୟ ଯୋଡା ଯାଇଥିଲା । ସାମାଜିକ ବିଜ୍ଞାନର ନୂଆ ପାଠ୍ୟ ପୁସ୍ତକରେ କୁହାଯାଇଛି ଯେ, ଦୁର୍ନୀତି, ପଡି ରହୁଥିବା ମାମଲା ଏବଂ ବିଚାରପତିଙ୍କ ଅଭାବ ନ୍ୟାୟିକ ପ୍ରଣାଳୀ ସାମ୍ନାରେ ଏକ ବଡ ଆହ୍ୱାନ । ନୂଆ ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ନାମକ ଖଣ୍ଡରେ କୁହାଯାଇଛି ଯେ, ବିଚାରପତି ଏକ ଆଚାର ସଂହିତାରେ ବାନ୍ଧି ହୋଇ ରହିଥାନ୍ତି । ଏହା କେବଳ ଅଦାଲତ ଭିତରେ ନୁହେଁ ବରଂ ଅଦାଲତ ବାହାରେ ମଧ୍ୟ ଉକ୍ତ ଆଚାର ସଂହିତା ବିଚାରପତିଙ୍କୁ ନିୟନ୍ତ୍ରିତ କରିଥାଏ । ଏପରିକି ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ଲୋକଙ୍କୁ ଦୁର୍ନୀତିର ସାମ୍ନା କରିବାକୁ ପଡିଥାଏ । ଗରିବ ଏବଂ ବଞ୍ଚିତ ବ୍ୟକ୍ତିଙ୍କୁ ନ୍ୟାୟ ପର୍ଯ୍ୟନ୍ତ ପହଞ୍ଚିବା ମୁସ୍କିଲ ହୋଇଥାଏ ।

ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଏହି ବିବାଦୀୟ ପୁସ୍ତକର ମୋଟ୍ ୨.୨୫ ଲକ୍ଷ କପି ଛପା ଯାଇଥିଲା । ହେଲେ ଏହାର ବିତରଣ ହେବା ପୂର୍ବରୁ ବିବାଦ ସାମ୍ନାକୁ ଆସିଛି । ଏବେ ବି ୨, ୨୪, ୯୬୨ ପୁସ୍ତକ ଏବେ ବି ଗୋଦାମରେ ସୁରକ୍ଷିତ ରହିଛି । ଏସବୁକୁ ଫେରାଇ ନିଆଯାଇଛି । କେବଳ ୩୮ ପୁସ୍ତକ ବଜାରରେ ବିକ୍ରି ହୋଇଛି ।

Leave a Reply

Your email address will not be published. Required fields are marked *