ନୟାଗଡ଼ : ନିର୍ବାଚନୀ ସମୟ ଆସିଲେ ଯୋଜନା ଉପରେ ଯୋଜନା ଖାଲି ଶୁଣିବାକୁ ମିଳୁଛି । ସରକାର ଗ୍ରାମାଞ୍ଚଳ‌ରେ ଉତ୍ତମ ଯୋଗାଯୋଗର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏବେ ବି ଏମିତି କିଛି ଗାଁ ଅଛି ଯେଉଁଠିକି ଯିବାକୁ ଭଲ ରାସ୍ତା ଖଣ୍ଡିଏ ବି ନାହିଁ। ନୟାଗଡ଼ ଜିଲ୍ଲା କଣପାଜୁ ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ପ୍ରସୂତିଙ୍କର ମୃତ୍ୟୁ ଘଟିଛି।

ଶନିବାର ଗାଁର ପ୍ରଦୀପ ମଲ୍ଲିକଙ୍କ ପତ୍ନୀ ସବିତା ମଲ୍ଲିକଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା। ଖବର ପାଇ ଆମ୍ବୁଲାନ୍ସ ଯାଇଥିଲା। ହେଲେ ରାସ୍ତା ଖରାପ ଯୋଗୁଁ କଣପାଜୁ ଗାଁଠାରୁ ପ୍ରାୟ ୨ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ପରିବାର ଲୋକ ସବିତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଉଥିଲେ। ତେବେ ସେମାନେ ପ୍ରାୟ ୧ କିଲୋମିଟର ଆସିବା ପରେ ସବିତାଙ୍କ ଗର୍ଭଯନ୍ତ୍ରଣା ବଢ଼ି ଯାଇଥିଲା ଓ ସେ ବାଟରେ ପ୍ରସବ କରିଥିଲେ। ଏହା ପରେ ଉଭୟ ମା’ ଓ ଛୁଆକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଏବଂ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେଠାରେ ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ। ଏବେବି ମେଡିକାଲରେ ନବଜାତ ଶିଶୁର ଚିକିତ୍ସା ଜାରି ରହିଛି।

By SonaliP

Leave a Reply

Your email address will not be published. Required fields are marked *