ବିଜୁ ଜନତା ଦଳର ଗଡ଼ ଥିଲା ବଡ଼ମ୍ବା। ୧୯୯୦ରୁ ଏହି ଆସନରୁ ଅଣକଂଗ୍ରେସ ପ୍ରାର୍ଥୀ ଜିତି ଆସୁଥିଲେ। ୧୯୯୫ରେ ଜନତା ଦଳ ଟିକଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦେବୀ ପ୍ରସାଦ ମିଶ୍ର । ବିଜଦ ଟିକଟରେ ୨୦୦୦ ମସିହାରୁ ଲଗାତାର ଜିତି ଆସୁଥିଲେ ସେ। କିନ୍ତୁ ଗତ ନିର୍ବାଚନରେ ୨୩ ହଜାରରୁ ଅଧିକ ଭୋଟରେ ହାରିଗଲେ । ବଡ଼ମ୍ବାରେ ବିଜଦ ଗଡ଼ ଭାଙ୍ଗିବ ଏହା କଳ୍ପନା ବାହାରେ ଥିଲା। ଏବେ ତୃଣମୂଳସ୍ତରରେ ବିଜଦ ସଂଗଠନକୁ ଭାଙ୍ଗିବା ପାଇଁ ବଡ଼ ଉଦ୍ୟମ ଆରମ୍ଭ ହୋଇଛି। ସୋମବାର ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜଦ ଛାଡ଼ି ଭାଜପାରେ ମିଶିଛନ୍ତି। ୩୧ ନମ୍ବର ଜୋନ୍ର ଜିଲା ପରିଷଦ ସଦସ୍ୟା ନୟନା ସାହୁ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି । ଏହି ବ୍ଲକର ୨୪ ଜଣ ସମିତି ସଭ୍ୟ । ୧୧ ଜଣ ସରପଞ୍ଚ, ନରସିଂହପୁର ବ୍ଳକର ୮ ଜଣ ସରପଞ୍ଚ ଏବଂ ବିଜଦ ଯୁବ ବ୍ଲକ୍ ସଭାପତି ଆଲୋକ ସାହୁ ବିଧାୟକ ବିଜୟ ଦଳବେହେରାଙ୍କ ନେତୃତ୍ବରେ ଯୋଗଦେଇଛନ୍ତି ଭାଜପାରେ । ଏହା ପର ପାଳି ନରସିଂହପୁର ବ୍ଳକର। ବଡ଼ମ୍ବା ବିଜଦ ହାତରୁ ଯାଇଛି । ଯିବାକୁ ବସିଛି ନରସିଂହପୁର । ଦେବୀ ବିଳଦ ଉପସଭାପତି ଭାବେ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ହୋଇ ରାଜ୍ୟରେ ସଂଗଠନ ସଜାଡ଼ୁଛନ୍ତି। କିନ୍ତୁ ନିଜ ଦୁର୍ଗ ପତନ ହୋଇଯାଇଛି। ୨୦୨୪ ମାର୍ଚ୍ଚ ପ୍ରାରମ୍ଭରେ ଯେତେବେଳେ ମେଣ୍ଟ ଆଲୋଚନା ଶିଖରରେ ଥିଲା, ସେତେବେଳେ ବିଜଦର ସର୍ବେସର୍ବା ଭିକେ ପାଣ୍ଡିଆନ ଏକ ଗଣମାଧ୍ୟମରେ କହିଥିଲେ ଯେ ୨୦୨୨ ପଞ୍ଚାୟତ ନିର୍ବାଚନରେ ୯୦ ଭାଗ ଆସନ ବିଜଦ ଜିଣିଛି। ଭାଜପାର ଶକ୍ତି ଓ ସାମର୍ଥ୍ୟ ନାହିଁ । ତେଣୁ ମେଣ୍ଟ ହେଉ, କିନ୍ତୁ ସରକାରରେ ଭାଜପା ସାମିଲ ନହେଉ। ସେହି ପରି କେନ୍ଦ୍ର ସରକାରରେ ସାମିଲ ହେବନି ବିଜଦ । ଯେଉଁ ସଂଗଠନକୁ ନେଇ ସେ ଦୃଢୋକ୍ତି କରିଥିଲେ, ତାହା ଏବେ ସମ୍ପୂର୍ଣ୍ଣ ବିପଦରେ। କ୍ଷମତା ଯାଇଛି। ସରକାରୀ କଳକୁ ଲଗାଇ ସଂଗଠନ ଜାହିର କରିବା ଅବସ୍ଥାରେ ବିଜଦ ସଭାପତି ନବୀନ ପଟ୍ଟନାୟକ ନାହାନ୍ତି । ତାଙ୍କ ଆଖି ଆଗରେ ଗୋଟିଏ ଗୋଟିଏ ବ୍ଲକ ଭୁଶୁଡ଼ିବା ଅବସ୍ଥାକୁ ଯାଉଛି। ନବୀନ ପଟ୍ଟନାୟକ ଥିବା ଅବସ୍ଥାରେ ସରକାର ବିଜଦ ହାତରୁ ଗଲା । ସେ କେବେ ବି ସପ୍ନରେ ବି ଏହା ଭାବି ନଥିଲେ । ଏବେ ତାଙ୍କ ଥିବା ଅବସ୍ଥାରେ ଦଳ ଭାଙ୍ଗିବାକୁ ଯାଉଛି । ଯେଉଁ ପ୍ରକାର ହତାଶା ଛାଇଗଲାଣି ଦଳର କର୍ମୀ ଓ ନେତାଙ୍କ ଭିତରେ, ବିସ୍ମିତ ହେବେ ନାହିଁ କେହି ଯଦି ଆସନ୍ତାବର୍ଷ ବିଭାଜିତ ହୋଇଯାଏ ବିଜୁ ଜନତା ଦଳ ! Post navigation ବରିଷ୍ଠ ନାଗରିକଙ୍କ ପାଇଁ ଘୋଷଣା ହେଲା ଦେୟମୁକ୍ତ ସ୍ବତନ୍ତ୍ର ସହାୟତା ନମ୍ବର ‘୧୪୫୬୭’ ସ୍ୱର୍ଣ୍ଣମନ୍ଦିର ସମ୍ମୁଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ