କୁହାଯାଏ ଘରେ ନ ପଶୁଣୁ ମୁଣ୍ଡରେ ଚାଳ। ଜାନୁଆରୀ ୬ ତାରିଖରେ ନୂଆ ବର୍ଷରେ ଶଙ୍ଖ ପାର୍ଟି ବାହାରିବ ରାସ୍ତା ଉପରକୁ।ଆନ୍ଦୋଳନ କରିବ ପଦ୍ମ ସରକାର ବିରୋଧରେ। ଦରଦାମ ବଢୁଛି।ଲୋକେ ଅତିଷ୍ଠ ହେଲେଣି। ପଦ୍ମ ସରକାରଙ୍କର ଜନବିରୋଧି ନୀତି ଏଥର ସଂଗ୍ରାମକୁ ବାହାରିବ ଶଙ୍ଖ ଦଳ। ବଡ଼ ଆହ୍ୱାନ ଦେଇଛନ୍ତି ନବୀନ ବାବୁ। କିନ୍ତୁ ଆଗ ଘର ସଜାଡ଼ିବା କଥା। ଅସଜଡ଼ା ଓ ହତାଶ ସେନାଙ୍କୁ ନେଇ ଯୁଦ୍ଧ କଣ ଜିତି ପାରିବେ ? ଆଉ ଅଧିକ ଦୂର ଯିବାକୁ ପଡିବ ନାହିଁ। ନବୀନ ବାବୁଙ୍କ ନିଜ ଜିଲ୍ଲା ଗଞ୍ଜାମ କଥା ଦେଖାଯାଉ। ଅବସ୍ଥା ବେହାଲ। କିଛିଦିନ ତଳେ ବିଏମସି ମେୟର ଓ ପାରିଷଦ ମାନେ ଆସିଥିଲେ ଶଙ୍ଖ ଭବନକୁ। ତା ଆଗରୁ ଭେଟିଥିଲେ ଦଳର ମୁଖିଆଙ୍କୁ। କିନ୍ତୁ ଶଙ୍ଖ ଭବନର ଅବସ୍ଥା ବାହାରକୁ ଚାଲିଗଲା। ବଜାବଜି ଯାଏ କଥା ଯିବାରୁ ମେୟର କୁଆଡେ ଅଚେତ ହୋଇପଡିଲେ। କଥାଟା କେତେ ସତ କି ମିଛ ଏହା ଅଲଗା ପ୍ରସଙ୍ଗ। କିନ୍ତୁ ଦଳର ଅବସ୍ଥା ଯେ ଭଲନାହିଁ ଆଖି ବୁଜି କହିହବ। ସାରା ଗଞ୍ଜାମରେ ଅବସ୍ଥା ଏମିତି।ନେତାମାନେ ଆସି ମୁଖିଆଙ୍କୁ ଭେଟି ଦୁଃଖ କହିଛନ୍ତି। କାଲ ଆଗରେ ମୂଳା ଚୋବେଇବା ଯାହା, ନବୀନଙ୍କ ଆଗରେ ଦଳର ଅବସ୍ଥା କହିବା ସେୟା। ବାବୁଙ୍କ ବାବୁ ତ ପାଣ୍ଡୁଙ୍କୁ ଛାଡି ପାରିବେନି। ଦଳ ଯାଉ ଚୁଲିକି। ୟା ଆଗରୁ ନବୀନବାବୁ କି ସମୀକ୍ଷା କରୁଥିଲେ କେଜାଣି? ୬ ମାସ ପରେ ବି ଯଦି ଅବସ୍ଥା ବଦଳିବା ବଦଳରେ ଆହୁରି ଆହୁରି ଖରାପ ହୋଇପଡେ ତେବେ ତାଙ୍କୁ ହିଁ ଦୋଷ ଦେଇ ହେବ। ସମାଧାନର ଚାବି ତାଙ୍କ ପାଖରେ ଅଛି। ସମନ୍ୱୟ କମିଟିଵାଲା କରିବେ ଛେନା ଗୁଡ଼। ସବୁଆଡେ ତ ଏମିତି ଅବସ୍ଥା। ପଦ୍ମ ସରକାର ବିରୋଧରେ ହୁଙ୍କାର ଦେଲେ କଣ ହେବ? ସେଥିପାଇଁ ତ କୁହାଯାଏ ଶତ୍ରୁ ସହିତ ଲଢ଼ିବାକୁ ହେଲେ ଦରକାର ଶୃଙ୍ଖଳିତ ଫଉଜ। ନବୀନ ବାହିନୀ ଗତ ଇଲେକ୍ସନରେ ଦଳ ହାରିଯିବା ପରେ ଉତ୍ସାହ ହରେଇ ସାରିଛନ୍ତି। ଏଣୁ ରାସ୍ତାକୁ ଓଲ୍ହାଇ କଣ କରିବେ ସେମାନେ? ଏଣୁ ନବୀନବାବୁ ପ୍ରଥମେ ଘର ସଜାଡ଼ନ୍ତୁ ତା’ପରେ ବାହାରିବେ ଲଢ଼ିବାକୁ। Post navigation ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ରାହୁଲଙ୍କ ଯାତ୍ରାରେ ଥିଲେ ସହରୀ ନକ୍ସଲ