ବହୁଦିନ ପରେ ଶଙ୍ଖୁଆମାନେ ଆନନ୍ଦିତ ହେଲେ। ପାଖାପାଖି ୬ ମାସ ପରେ ସେମାନଙ୍କ ମୁହଁରେ ହସ ଫୁଟିଲା । ହସ ଫୁଟିବାର କାରଣ ହେଲା ଝାଡ଼ଖଣ୍ଡ ନିର୍ବାଚନରେ ଜିଣି ପାରିଲାନି ପଦ୍ମ । ବିଷାଦ ଯୋଗରେ ପଡିଥିବା ପପୁ ମହାରାଜାଙ୍କ ପାଇଁ ୟା’ଠୁ ବଳି ଖୁସି ଖବର କ’ଣ ହେଇପାରେ ? ଶଙ୍ଖ ଫାଟିବାକୁ ବସିଲାଣି। ଶଙ୍ଖୁଆଙ୍କ ଭିତରେ ପ୍ରବଳ ଗୋଛି କଟାକଟି। ରାଜ୍ୟସଭାରୁ ଦି’ଜଣ ପଳେଇଲେଣି । ଏଠି ବି ଯାଜପୁରରେ ଶଙ୍ଖଗଡ ଭାଙ୍ଗି ରୁଜି ଛାରଖାର ହବାକୁ ବସିଚି । ଅଘୋଷିତ ଉତ୍ତରାଧିକାରୀ ଖୋଲା ରାଜନୀତି କରିପାରୁନାହାଁନ୍ତି । ଏପରି ଅବସ୍ଥାରେ ହସ କଉଁଠୁ ଫୁଟିବ ଯେ ? ଯାହାହଉ ଝାଡ଼ଖଣ୍ଡି ଭୋଟର ତାଙ୍କ ଦୁର୍ଦ୍ଦଶା ଲାଗି ପଦ୍ମ ଦଳିଆଙ୍କୁ ପାନେ ଦେଇଚନ୍ତି । ବହୁଦିନ ପରେ ମନଟା ହାଲୁକା ଲାଗୁଚି ପପୁ ମହାରାଜାଙ୍କର।

କିନ୍ତୁ ଆଗକୁ କେମିତି ବଢି ହବ ? ପଦ୍ମ ଦଳିଆ କେତେବେଳେ ନାକରେ ଦଉଡି ପୁରାଇ ଟାଣିବେ କିଏ କହିପାରିବ ? ତେଣୁ ବରଂ ଭଲ ଜାତି ସୌଦାଗର ରାହୁଲଙ୍କ ପିଠିରେ ଲାଉ ହେଇପଡିବା। ସେଥ‌ିପାଇଁ ପପୁ ମହାରାଜ ହାତ ଦଳ ସହ ଚୋରା ପୀରତିରେ ମାତିବାକୁ ନିଷ୍ପତି ନେଇଚନ୍ତି। ଋଷି ହୁଅନ୍ତୁ କି ମୁନା କିମ୍ବା ଅତନୁ, ସେମାନେ ନିଜ ମନରୁ ହାତ ସହ ମିଶି ସରକାର ଗଢିବା କଥା କହୁ ନାହାଁନ୍ତି । ପପୁ ମହାରାଜା ଚାହୁଁ ଚନ୍ତି ବୋଲି କହୁଚନ୍ତି । ହାତ ଦଳ ସହ ମିଶି ଓଡ଼ିଶାରେ ପଦ୍ମ ଦଳକୁ ମଜା ଚଖେଇ ହବ ବୋଲି ଭାବିଚନ୍ତି ପପୁ ମହାରାଜ ।

ପଦ୍ମ ଦଳର ହାତ ଧରି କ୍ଷମତା ରାଜନୀତି ଆରମ୍ଭ କରିଥିଲେ ପପୁ । ଯେମିତି ଅଣ୍ଟା ସଳଖି ଗଲା ପଦ୍ମ ଦଳିଆଙ୍କୁ ମାରିଲେ ନାତେ । ଭାବିଲେ ୫୦ ବର୍ଷ ଯାଏଁ ଓଡ଼ିଶାରେ ଶଙ୍ଖବାନା ଉଡିବ । ସେଥ‌ିପାଇଁ ଧର କୁ ସର ମଣିଲେନି । ହେଲେ ଲୋକେ ଚତୁର ହେଇଗଲେ । ପପୁ ଓ ପାଣ୍ଡୁଙ୍କୁ ମଜା ଚଖେଇ ଦେଲେ। ରେକର୍ଡ କରିବେ କ’ଣ ପପୁ ଏବେ ଉଦୁଉଦିଆ ଦିନଟାରେ ବି ହାତ ସହ ମିଶି ସରକାର ଗଢିବେ ବୋଲି ସପ୍ନ ଦେଖୁଚନ୍ତି। ଏଣୁ ଝାଡ଼ଖଣ୍ଡରେ ପଦ୍ମ ପାନେ ପାଇଲା ବୋଲି ଖୁସି କାହିଁରେ କେତେ ?

କଂଗ୍ରେସୀ ପପୁ ଅନ୍ୟ ଆଞ୍ଚଳିକ ଦଳ ଉପରେ ଲାଉ ହବାକୁ ଭଲ ପାଆନ୍ତି । କିନ୍ତୁ କି ଦୁର୍ଯୋଗ ହେଲାରେ ! ସେ ପପୁ ଉପରେ ଏ ପପୁ ଲାଉ ହବାକୁ ବାହାରିଚନ୍ତି। ମୁସଲିମ ଭୋଟ ବ୍ୟାଙ୍କ ପାଇଁ ସେ ପପୁଙ୍କ ସହ ହାତ ମିଳେଇ ଏ ପପୁ ଓଡ଼ିଶାରେ ଓ୍ବାକଫ ବୋର୍ଡ ବିଲକୁ ବିରୋଧ କରିବା ପାଇଁ ନିଷ୍ପରି ନେଇଚନ୍ତି । ୟା’କୁ କହିବ ହାତ-ଶଙ୍ଖ ମେଣ୍ଟ ସରକାର !

Leave a Reply

Your email address will not be published. Required fields are marked *