୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥ‌ିବା ନବୀନ ପଟ୍ଟନାୟକ ଦେଖନ୍ତି ନିର୍ଭୟ ଗୁମର କଥା । ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁମର କଥା ଦେଖୁଥିବା ସ୍ୱୀକାର କରିସାରିଛନ୍ତି । ତେବେ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗୁମର କଥା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିନ୍ତୁ ଏହା ସୂଚାଇ ଦେଉଛି ଯେ, ତାଙ୍କ ବାପା ବିଜୁ ପଟନାୟକ ଏବଂ ଭଉଣୀ ଗୀତା ପଟ୍ଟନାୟକଙ୍କଠାରୁ ଭିକେ ପାଣ୍ଡିଆନ ହେଉଛନ୍ତି ତାଙ୍କର ସବୁଠାରୁ ପ୍ରିୟ ।

ନିର୍ଭୟ ଗୁମର କଥାର ସୋମବାର ପ୍ରସଙ୍ଗଟି ଥିଲା କଣ୍ଟାବାଞ୍ଜି ପରାଜୟ ପାଇଁ ନବୀନଙ୍କ ବିରୋଧରେ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ପାଣ୍ଡିଆନ, ସିଏମଓରେ ଅବସ୍ଥାପିତ ଅତ୍ୟନ୍ତ ଶକ୍ତିଶାଳୀ ଆଇପିଏସ ଅଧିକାରୀ ଡିଏସ କୂଟେ ଏବଂ ଆଇଜି ଆଶିଷ ସିଂ ଷଡଯନ୍ତ୍ର କରିଥିଲେ । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଅଭିଯୋଗ କରିସାରିଛନ୍ତି ଯେ, ବିଜୁ ଜନତା ଦଳରେ ଟିକଟ ବାଣ୍ଟୁଥିଲେ କୂଟେ ଓ ଆଶିଷ ସିଂ । ସୁନନ୍ଦାଙ୍କ ସାମୀ ଦେବେନ୍ଦ୍ରଙ୍କ ଅଭିଯୋଗ ଥିଲା ଯେ, କଣ୍ଟାବାଞ୍ଜିରେ ନବୀନ ହାରନ୍ତୁ ବୋଲି ଷଡଯନ୍ତ୍ର କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ପ୍ରସ୍ତୁତ ହୋଇଥିଲା ଗୁମର କଥାର ପ୍ରସଙ୍ଗ। କଣ୍ଟାବାଞ୍ଜି ଆଦୌ ବିଜଦ ପାଇଁ ନିରାପଦ ଆସନ ନଥିଲା। ୨୦୧୯ରେ ବିଜଦ ପ୍ରାର୍ଥୀ ତୃତୀୟ ସ୍ଥାନରେ ଥିଲେ । ଏପରିସ୍ଥଳେ ନବୀନଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କାହିଁକି କରାଯାଇଥିଲା ? ଗଲା ନିର୍ବାଚନରେ ସେ ୧୬ହଜାରରୁ ଅଧିକ ଭୋଟରେ ଭାଜପାର ଲକ୍ଷ୍ମଣ ବାଗଙ୍କଠୁ ହାରିଯାଇଥିଲେ। ସେହିପରି ପାରମ୍ପରିକ ହିଞ୍ଜିଳି ଆସନରୁ ସହ ୪ହଜାର ଭୋଟରେ ବିଜୟୀ ହୋଇଥିଲେ ନବୀନ । କାହିଁ ୬୦ହଜାର ପୁଣି କାହିଁ ୪ହଜାର । ତେଣୁ ତାଙ୍କୁ ହରାଇବା ପାଇଁ ସେଠାରେ ମଧ୍ୟ ଚକ୍ରାନ୍ତ ହୋଇଥିବା ସନ୍ଦେହ ହୋଇଥିଲା।

ପ୍ରଥମ ଥର ପାଇଁ ଗୁମର କଥାର ଏହି ପ୍ରସଙ୍ଗ ଉପରେ ଏକ୍ସରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନବୀନ । ଏହାକୁ ଗୁଜବ ଓ ମିଥ୍ୟା ବୋଲି କହି ନବୀନ ନିନ୍ଦା କରିଛନ୍ତି । ସେ ଲେଖୁଛନ୍ତି ଗତ ନିର୍ବାଚନ ସମୟରେ ସେହି ନ୍ୟସ୍ତସାର୍ଥ ବ୍ୟକ୍ତି ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇଥିଲେ। ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ । ଏପରି ବିଭ୍ରାନ୍ତ କରିଥିବା ବ୍ୟକ୍ତିମାନେ କିଏ ଓଡ଼ିଶାବାସୀ ଏବେ ଠିକ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପ୍ରଚାରରୁ ଦୁରେଇ ରହିବା ପାଇଁ ସଦବୁଦ୍ଧି ଦିଅନ୍ତୁ ।

ପାଣ୍ଡିଆନଙ୍କ ସମ୍ପର୍କରେ କିଛି ଅଭିଯୋଗ ଉଠିଲେ ନବୀନ କାହିଁ କି ଏତେ ବିଚଳିତ ହୋଇପଢୁଛନ୍ତି ? ଦଳ ହାରିଲା, ସରକାର ଗଲା । ସମସ୍ତେ ଏଭଳି ଅବସ୍ଥା ପାଇଁ ପାଣ୍ଡିଆନଙ୍କୁ ଦାୟୀ କଲେ | ଜନଆକ୍ରୋଶ ଭୟରେ ପାଣ୍ଡିଆନ ସନ୍ୟାସୀ ହୋଇଗଲେ ବୋଲି ନାଟକ କଲେ । କିନ୍ତୁ ନବୀନ ବାବୁ ତାଙ୍କୁ କ୍ଲିନଚିଟ ଦେଲେ ।

 

Leave a Reply

Your email address will not be published. Required fields are marked *