Naveen Condemns failed System in Soumyashree’s Death case
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଗଲା ବୋଲି ସେ କହିଛନ୍ତି ।
 
ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା । ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା ବୋଲି ନବୀନ ଦୁଃଖ ପ୍ରକାଶ କରି କହିଛନ୍ତି ।
 
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଦୁଃଖ ପ୍ରକାଶ କରି ନବୀନ ନିଜ ଏକ୍ସରେ ଲେଖିଛନ୍ତି ଯେ ସେ ଅତି ସାହସିକତାର ସହ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା । କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ନ୍ୟାୟ ପାଇବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା । ଏପରି କି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା । ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା ।
 
ଏଥିସହିତ ନବୀନ ପୁଣି ଥରେ ଘଟଣାରେ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେ ରାଜ୍ୟପାଳଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେ ଏହା ସୁନିଶ୍ଚିତ କରୁନ୍ତୁ ଯେ, ନା କେବଳ କଲେଜ କର୍ତ୍ତୃପକ୍ଷ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ମଧ୍ୟ ଏ ଘଟଣା ପାଇଁ ଉତ୍ତରଦାୟୀ ହୁଅନ୍ତୁ ।

By Nirvay

Leave a Reply

Your email address will not be published. Required fields are marked *