ରାୟଗଡା ଜିଲ୍ଲାରେ ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଆଜି ଦଳରୁ ଇସ୍ତଫା ଦେଇଥିବା ବେଳେ, ଏହା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜୁ ଜନତା ଦଳ କହିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ସଂଗଠନ ରାଜ୍ୟରେ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ ବୋଲି ଦଳ ତରଫରୁ ଦୃଢୋକ୍ତି ପ୍ରକାଶ କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଏନ୍. ଭାସ୍କର ରାଓ, ଲାଲ ବିହାରୀ ହିମିରିକା ଓ ଦଳର ଅନ୍ୟ କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି । କିନ୍ତୁ, ଦଳରୁ ଏହି ନେତା ମାନଙ୍କର ଇସ୍ତଫା ଦଳର ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଦଳରେ ନିଷ୍ପତ୍ତି କିଏ ନେଉଛନ୍ତି ବୋଲି ରାଓ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଯଦି ରାଓ ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଜାଣିପାରୁ ନାହାନ୍ତି, ତାହେଲେ ବିଭିନ୍ନ ପଦପଦବୀରେ ରହି ଲମ୍ୱା ସମୟ ଦଳରେ କାର୍ଯ୍ୟ କରିଥିବା ରାଓ ଦଳ ପାଇଁ କିଭଳି କାର୍ଯ୍ୟ କରୁଥିଲେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି । ଦଳ ତରଫରୁ ରାଓଙ୍କୁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ତାଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା । ଦଳ ତାଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଥିବା ସତ୍ତ୍ୱେ ସେ ଦଳ ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିଜେଡି ଶାସନ ଦାୟିତ୍ୱରେ ଥିବା ସମୟରେ ସେ ଦଳର ବିଭିନ୍ନ ଦାୟିତ୍ୱରେ ଥିଲେ, ଆଜି ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱ ସମ୍ପାଦନ କରୁଥିବା ବେଳେ ସେ ଦଳ ଛାଡ଼ିଛନ୍ତି । ଡ଼ ମହାନ୍ତି କହିଥିଲେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁଦୃଢ଼ ରହିଛି ଓ ଆଗାମୀ ଦିନରେ ଆହୁରି ସଶକ୍ତ ହେବ । Post navigation ଇସ୍ତଫା ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଞ୍ଚଭୂତରେ ବିଲୀନ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ