ବଳଙ୍ଗା ପୀଡ଼ିତାଙ୍କ ନାଁ କ’ଣ ? ପୁଲିସ କହୁଚି ଯେ, ଝିଅଟା ଆତ୍ମହତ୍ୟା କରିଚି । ଅନ୍ୟ କେହି ଏଥରେ ସଂପୃକ୍ତ ନାହାଁନ୍ତି । ଏହା ବଳାତ୍କାର କି ଦୁଷ୍କର୍ମ ମାମଲା ନୁହେଁ । ଅପହରଣ ଅଭିଯୋଗ ମିଛ । ତେବେ ନାଁ କ‌ହିବାରେ ଅସୁବିଧା କଉଁଠି ? ଅବଶ୍ୟ ଦୁଷ୍କର୍ମ ମାମଲା ହେଇଥିଲେ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ କୌଣସି ପୀଡ଼ିତାଙ୍କ ନାମ ଉଲ୍ଲେଖ କରା‌ଯାଇପାରିବ ନାହିଁ ।

ଝିଅର ବାପା କହିଲେଣି ଯେ ତା’ର ମୁଣ୍ଡଦୋଷ ଥିଲା । ମଲା ପରେ ବାପା ଜାଣିଲେ କି ? ଯଦି ଆଗରୁ ଜାଣିଥିଲେ ଏତେ ନାଟତାମସା କାହିଁକି ? ପୁଲିସକୁ ଝିଅ ଚିନ୍ତାରେ ଥିଲା ବୋଲି କହିଥିଲେ କି ? ପ୍ରଶ୍ନ ତ ଉଠିବ ଯେ ଚିନ୍ତାର କାରଣ କ’ଣ ? ଏହାପଛରେ ଅଛି କି ରହସ୍ୟ ?

ଯଦି କାହାଣୀ ଏତେ ସରଳ, କୌଣସି ଦ୍ବିତୀୟ ପକ୍ଷ ନାହାଁନ୍ତି ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ କାହିଁକି ଦିଆଯାଇଥିଲା ? ଡିଜିପି କାହିଁକି ବଳଙ୍ଗା ଯାଇଥିଲେ ? ଅନର୍‌କିଲିଂର ଗନ୍ଧ ଆସୁଚି କି? ପୁଲିସ ଯେତେବେଳେ କହି ସାରିଲାଣି ଯେ, ଅପହରଣ ନାହିଁ କି ବଳାତ୍କାର ନାହିଁ ସେତେବେଳେ ଆଉ କ’ଣ ଏହି ବିନ୍ଦୁ ଉପରେ ତଦନ୍ତ କରିବ ?

ଇତିଶ୍ରୀ ଘଟଣାରେ ଦେଖୁଚୁ । ସ୍ମିତାରାଣୀ ଘଟଣାରେ ବି ଦେଖିଲୁ । ସବୁକିଛି ଶୂନ୍ୟରେ ଉଭେଇଗଲା । ବଳଙ୍ଗା ଝିଅ କ୍ଷେତ୍ରରେ ବି ସେଇ ଏକାକଥା। ମୂଳରୁ ତ ବାପା ଓ ପରିବାର ଲୋକଙ୍କ କଥା ମାନିନେଇ ତଦନ୍ତରେ ଜୋର ପକାଇଥିଲେ କାମ ଛିଡିଥା’ନ୍ତା ।

କିନ୍ତୁ ପଡ଼ିଶା ଲୋକେ କହିଛନ୍ତି ଯେ, ଝିଅଟି ଭାରି ଭଲ। ଭଲ ହେଇ ଦିଲ୍ଲୀରୁ ଫେରିବ ବୋଲି ସେମାନେ ଆଶା କରୁଥିଲେ । କେହି କହୁନାହାଁନ୍ତି ଯେ ଭାରି ଚିନ୍ତା ଓ ବିଷାଦରେ ଥିଲା ଝିଅଟା । କିଏ ସତ କହୁଛି, କିଏ ମିଛ ସେକଥା ଆଲ୍ଲା ଜାଣିଥିବେ । କିନ୍ତୁ ସନ୍ଦେହ ତ ବଢିଗଲା ବାପା କଥାରୁ ଓ ପୁଲିସ ଲେଖାରୁ।

ପଦ୍ମଦଳିଆ ବିରୋଧୀଙ୍କୁ ଛିଗୁଲାଇବାକୁ ଯାଇ ଯଉଁ ଶାଗୁଣା ଓ ମଢ଼ କଥା କହିଚନ୍ତି, ତାହା ତ ଆହୁରି ବଡ଼ ବିବାଦ ଆଗକୁ ସୃଷ୍ଟି କରିବ । ପୂର୍ବ ସରକାର ଅମଳରେ ପଦ୍ମଦଳିଆ ଶାଗୁଣା ଓ ମଢ଼ କଥା ଭୁଲି ଯାଇଥିଲେ କି ?

Leave a Reply

Your email address will not be published. Required fields are marked *