ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ର ବଜେଟ ଅନେକ କ୍ଷେତ୍ରରେ ଐତିହାସିକ ହୋଇ ରହିଯାଇଛି। ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସଂଗଠନ ନିଜର ସର୍ଭେ ରିପୋର୍ଟରେ ମତ ରଖିଛନ୍ତି ଯେ, ଏପ୍ରିଲ-ମେ ମାସରେ ଦେଶରେ ବେରୋଜଗାର ୩.୨ ପ୍ରତିଶତ ଥିଲା, ଯାହା ଐତିହାସିକ ସଫଳତା । ୧୮ବର୍ଷରେ ଏହା ସବୁଠାରୁ କମ୍ ବେରୋଜଗାରୀ ପରିସଂଖ୍ୟାନ। ମୋଦି ସରକାରଙ୍କ ୧୦ ବର୍ଷ ଭିତରେ ଦେଶରେ ୧୨.୫କୋଟି ନିଯୁକ୍ତି ସୃଷ୍ଟି ହୋଇଛି। କଂଗ୍ରେସର ୧୦ ବର୍ଷ ଭିତରେ ମାତ୍ର ୨.୯କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା। ଚଳିତ ବଜେଟ୍‌ରେ ଆହୁରି ଅଧିକ ନିଯୁକ୍ତି ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଛି। ଏଥିସହ ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଥିବାରୁ ଓଡ଼ିଶା ବିକାଶର ଗତି ଦୁଇଗୁଣ ହେବ। ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ଐତିହାସିକ ବଜେଟ ଏକ ମାଇଲଷ୍ଟୋନ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବ ସରକାର ସମୟରେ ଅନେକ କେନ୍ଦ୍ରୀୟ ଯୋଜନାରୁ ଓଡ଼ିଶା ଲୋକଙ୍କୁ ରାଜନୈତିକ ହୀନ ଉଦ୍ଦେଶ୍ୟ ରଖି ବଂଚିତ କରାଯାଉଥିଲା । କେବଳ ସେତିିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାର ହିତାଧିକାରୀ ଚୟନରେ ମଧ୍ୟ ପାତରଅନ୍ତର କରାଯାଇ ଗରିବ ଲୋକଙ୍କୁ ହଇରାଣ କରାଯାଉଥିଲା। ହେଲେ ଏବେ ଓଡ଼ିଶାବାସୀ ମୋଦିଙ୍କର ବିକଶିତ ଓଡ଼ିଶା ଗଠନ ପାଇଁ ଆସୁଥିବା ସମସ୍ତ କେନ୍ଦ୍ରୀୟ ସହାୟତାର ଲାଭ ପାଇବେ।

କଂଗ୍ରେସର ୧୦ ବର୍ଷ ଶାସନରେ କେନ୍ଦ୍ରୀୟ ଯୋଜନା, କେନ୍ଦ୍ରୀୟ ଟିକସ୍‌ରେ ରାଜ୍ୟର ଅଂଶ ବାବଦରେ ମାତ୍ର ଲକ୍ଷେ ୧୪ ହଜାର କୋଟି ଟଙ୍କା ପାଇଥିଲାବେଳେ ମୋଦି ସରକାରଙ୍କ ୧୦ ବର୍ଷରେ ୪ଗୁଣ ବଢ଼ି ୪ଲକ୍ଷ ୫୭ହଜାର କୋଟି ଟଙ୍କାରେ ପହଂଚିଛି। ସେହିପରି ଯଦି ରେଳ ଅନୁଦାନକୁ ଦେଖିଲେ କଂଗ୍ରେସ ୧୦ ବର୍ଷରେ ବାର୍ଷିକ ଅନୁଦାନ କେବେ ବି ହଜାରେ କୋଟି ଛୁଇଁନଥିଲା କିନ୍ତୁ ମୋଦି ସରକାରରେ ଚଳିତ ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦ହଜାର ୫୦୦କୋଟି ଟଙ୍କାରୁ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ କଂଗ୍ରେସ ସରକାରରେ ଓଡ଼ିଶା କିଭଳି ଅବହେଳିତ ହେଉଥିଲା ଓ ମୋଦି ସରକାରରେ ଓଡ଼ିଶା କିଭଳି ତାର ନ୍ୟାର୍ଯ୍ୟ ହକ୍ ପାଇଲା। ଚଳିତ ବଜେଟ୍‌ରେ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ମୋଦି ସରକାର ଶାସନକୁ ଆସିବା ପରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସୁଦୃଢ ହୋଇଚାଲିଛି । ନିର୍ବାଚନ ପରେ ତୃତୀୟ ଥର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଯାହା ଐତିହାସିକ। ମୋଦି ସରକାର ଭାରତର ବିକାଶ ପାଇଁ ବଜେଟ୍‌ରେ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦେଇଛି। ବଜେଟ୍‌ରେ ୪ଟି କ୍ଷେତ୍ର ଯଥା, ଗରିବ, ମହିଳା, ଯୁବକ ଓ କୃଷକଙ୍କୁ ଗୁରୁତ୍ୱ ଦେଇଛନ୍ତି। କଂଗ୍ରେସ ସରକାର ସମୟରେ ୧୦ବର୍ଷ ତଳେ ଘର ନିର୍ମାଣ କ୍ଷେତ୍ରରେ ମାତ୍ର ୧୦,୫୬୭ କୋଟି ଟଙ୍କା ଦିଆଯାଇଥିଲା କିନ୍ତୁ ୨୦୨୪-୨୫ରେ ତାହା ୮୨ହଜାର ୫୭୬ କୋଟି ଟଙ୍କା ହୋଇଛି। ସେହିଭଳି ଭିତ୍ତିଭୂମି ନିର୍ମାଣରେ କଂଗ୍ରେସ ସରକାର ସମୟରେ ୨୦୧୩-୧୪ରେ ୨ଲକ୍ଷ ୫୭ହଜାର ୬୪୧ କୋଟି ଟଙ୍କା ଦିଆଯାଉଥିବା ବେଳେ ୨୦୨୪-୨୫ରେ ତାହା ହୋଇଛି ୧୧ଲକ୍ଷ ୧୧୧କୋଟି ଟଙ୍କା। ରୋଡ ଟ୍ରାନ୍ସପୋର୍ଟ ଓ ରାଜପଥ ପାଇଁ ୨୦୧୩-୧୪ରେ ୨୫ ହଜାର ୮୫୯ କୋଟି ଦିଆଯାଇଥିବା ବେଳେ ୨୦୨୪-୨୫ରେ ୨ଲକ୍ଷ ୭୮ହଜାର କୋଟି ହୋଇଛି। ଗ୍ରାମୀଣ କ୍ଷେତ୍ରର ବିକାଶ ପାଇଁ ୨୦୧୩-୧୪ରେ ୭୪ ହଜାର ୪୭୭ କୋଟି ଦିଆଯାଉଥିବା ବେଳେ ୨୦୨୪-୨୫ରେ ୧ଲକ୍ଷ ୮୦ହଜାର ୨୩୩ କୋଟି ଦିଆଯାଇଛି। ଶିକ୍ଷାରେ ୨୦୧୩-୧୪ରେ ୭୯ ହଜାର ୪୫୧କୋଟି ଅନୁଦାନ ମିଳିଥିଲା ବେଳେ ୨୦୨୪-୨୫ରେ ୧ ଲକ୍ଷ ୨୦ହଜାର ୬୨୭ କୋଟି ଦିଆଯାଇଛି ।

ମୋଦି ସରକାର ପୂର୍ବୋଦୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ମୋଦି ସର୍ବଦା କହିଛନ୍ତି ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତ ଯେତେ ପର୍ଯ୍ୟନ୍ତ ବିକାଶ ନହୋଇଛି ଭାରତର ବିକାଶ ଅସମ୍ଭବ। ଇତିହାସକୁ ଦୃଷ୍ଟି ଦେଲେ ସ୍ପଷ୍ଟ ଯେ, କଂଗ୍ରେସ ସରକାର ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତକୁ ମାତ୍ରାଧିକ ଅବହେଳା କରୁଥିଲା । ଉତ୍ତର ପୂର୍ବ ଭାରତକୁ ମୋଦି ୧୦ ବର୍ଷରେ ୯୦ ଥର ଗସ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *