ଆମେରିକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦର୍ଶନ ଉପରେ ଆଲୋକପାତ କରିଛନ୍ତି। ନ୍ୟୁୟର୍କର ମ୍ୟାଡିସନ୍ ସ୍କୋୟାର ଗାର୍ଡେନରେ ହୋଇଥିବା ଏହି ବଡ଼ କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରିଥିଲେ ଭାଗବତ ।ଭାରତୀୟ ସଂସ୍କୃତିରେ ‘ଏକତା’ ଏବଂ ‘ବିବିଧତା’ କିପରି ଭାବେ ଜଡ଼ିତ, ସେ ବିଷୟରେ ସେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି। ନିଜ ଅଭିଭାଷଣରେ ଭାଗବତ କହିଛନ୍ତି, ଭାରତର ପରିଚୟ ହେଉଛି ବିବିଧତା ମଧ୍ୟରେ ଏକତା। ଭାରତ ଏବଂ ଆମେରିକା—ଉଭୟ ଦେଶର ଡିଏନ୍ଏରେ ଏକତା ଓ ବିବିଧତା ରହିଛି ବୋଲି ସେ କହିଛନ୍ତି । ବିଶ୍ୱକୁ ଏକତା ଓ ଧର୍ମର ବାର୍ତ୍ତା ଦେବା ଭାରତର ସଭ୍ୟତାଗତ ଦାୟିତ୍ୱ ବୋଲି ମଧ୍ୟ ସେ ମତ ରଖିଛନ୍ତି । ଏହି ଅବସରରେ ଧର୍ମକୁ କେବଳ ପୂଜାପାଠ କିମ୍ବା ଏକ ନିର୍ଦ୍ଦିଷ୍ଟ ମତ ସହ ଯୋଡ଼ି ନଦେଖିବାକୁ ଭାଗବତ କହିଛନ୍ତି । ସମ୍ମିଳନୀ ସମୟରେ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିମାନେ RSS ର “ହିନ୍ଦୁ ରାଷ୍ଟ୍ର” ପରିକଳ୍ପନା ଏବଂ ଭାରତରୁ ମୁସଲିମମାନଙ୍କୁ ବାହାର କରିଦିଆଯିବ କି ନାହିଁ ସେ ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସଂଘ ପ୍ରମୁଖ କହିଥିଲେ ଯେ, “ନା, ଏହା ହିନ୍ଦୁତ୍ୱ ନୁହେଁ। ଆମେ ଏପରି ଏକ ସମାଜରେ ବାସ କରୁଛେ ଯେଉଁଠାରେ ଧର୍ମ ଭିନ୍ନ ହୋଇପାରେ, କିନ୍ତୁ ମାନବତା ଏକ। ଧର୍ମୀୟ ପରିଚୟ ନିର୍ବିଶେଷରେ ସମସ୍ତଙ୍କୁ ଆଶ୍ରୟ ଦେବା ଭାରତର ପରମ୍ପରା । ଯଦି କୌଣସି ହିନ୍ଦୁ ଭାବନ୍ତି ଭାରତରେ ମୁସଲମାନ ରହିବା ଉଚିତ୍ ନୁହେଁ, ତେବେ ସେ ହିନ୍ଦୁ ଚିନ୍ତାଧାରାର ମୂଳ ଭାବନାକୁ ବୁଝିନାହାନ୍ତି । ସମସ୍ତ ଧର୍ମ ଓ ପଥକୁ ସମ୍ମାନ କରିବା ଏବଂ ମାନବତାକୁ ଏକାଠି ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଭାଗବତ କହିଛନ୍ତି ଯେ, ‘ମୁଁ’ ଏବଂ ‘ମୋର’ ଭାବନା ବଦଳରେ ‘ଆମେ’ ଏବଂ ‘ଆମର’ ଭାବନା ଆପଣାଇବା ଆବଶ୍ୟକ। ୨୦୧୮ ମସିହା ପରଠାରୁ ସଂଘ ଭାରତରେ ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିଛି। ରାମକୃଷ୍ଣ ପରମହଂସଙ୍କ ବାଣୀ “ଯେତେ ମତ, ସେତେ ପଥ” ର ସ୍ମରଣ କରାଇ ସେ କହିଥିଲେ ଯେ ସମସ୍ତ ମାର୍ଗ ଶେଷରେ ଗୋଟିଏ ଲକ୍ଷ୍ୟ ଆଡ଼କୁ ନେଇଯାଏ। କେବଳ ରାଜନୀତି ଦ୍ୱାରା ସାମାଜିକ ପରିବର୍ତ୍ତନ ସମ୍ଭବ ନୁହେଁ; ବରଂ ନିସ୍ୱାର୍ଥପର ସେବା, ସଂଳାପ ଏବଂ ଏକତା ମାଧ୍ୟମରେ ସମାଜରୁ ହିଁ ପରିବର୍ତ୍ତନର ଆରମ୍ଭ ହେବା ଦରକାର। Post navigation Paddy Registration in Odisha: ଅଗଷ୍ଟ ୩୧ ତାରିଖ ଧାନ ପଞ୍ଜୀକରଣ ଶେଷ ତାରିଖ; ରାତି ଅଧରେ ଲ୍ୟାମ୍ପସ ଆଗରେ ଚାଷୀଙ୍କ ଭିଡ଼