ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ୍ ବଳସାମନ୍ତଙ୍କ ଏକ ମିଛ ଭିସା ଷ୍ଟିଲ୍ ପାଇଁ ଭବିଷ୍ୟତରେ ବୁମେଂରା ସୃଷ୍ଟି କରିପାରେ । ଗତ ୨୭ତାରିଖ ଦିନ ଦୁର୍ଘଟଣାରେ ପ୍ରାଣ ହାରିଥିବା ଜିନ୍ଦଲର ଜଣେ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନେଇ ଭିସା ଶ୍ରମିକଙ୍କୁ ସାଢେ ୧୫ଲକ୍ଷ ଦିଆଯାଇଥିବା ସେ କହିଥିଲେ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ, ଗତ ମାସେ ହେବ ଭିସାରେ ଅଘଟଣ ଘଟି ଜଣେ ଶ୍ରମିକ ଡାକ୍ତରଖାନାରେ ପ୍ରାଣ ହାରିଥିଲେ । ଏବାବଦରେ କୌଣସି ଗଣମାଧ୍ୟମରେ ଖବର ପ୍ରକାଶ ହୋଇନାହିଁ । କିନ୍ତୁ ସଂପୃକ୍ତ ଶ୍ରମିକ ଝାଡଖଣ୍ଡରେ ହୋଇଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇଛି । ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ସାଢେ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥିବା ସେ କହିଥିଲେ । ଆଉ ମଧ୍ୟ ସଂପୃକ୍ତ ମୃତକଙ୍କ ବିଧବା ପତ୍ନୀଙ୍କୁ କାରଖାନାରେ ନିଯୁକ୍ତି ଦେବାକୁ ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ବଳସାମନ୍ତ ସୂଚନା ଦେଇଥିଲେ। କିନ୍ତୁ ବଳସାମନ୍ତ ଗଣମାଧ୍ୟମ ଆଗରେ ଦେଇଥିବା ଏହି ସୂଚନାକୁ ଉଭୟ ଭିସା କର୍ତ୍ତୃପକ୍ଷ ଏବଂ ଫ୍ୟାକ୍ଟ୍ରି ବଏଲର ବିଭାଗ ଖଣ୍ଡନ କରିଛି। ଗତ ୨୦୨୨ ମସିହା ପରେ ଭିସା କାରଖାନାରେ ସେପରି କୌଣସି ଝାଡଖଣ୍ଡି ଶ୍ରମିକଙ୍କର ମୃତ୍ୟୁ ହୋଇନାହିଁ କି ସେବାବଦରେ କୌଣସି କ୍ଷତିପୂରଣ ଦିଆଯାଇନାହିଁ ବୋଲି ଭିସା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ ଯାଜପୁରରୋଡ୍ ଠାରେ ଅବସ୍ଥାପିତ ରାଜ୍ୟ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ପାଖରେ ସେପରି କୌଣସି ସୂଚନା ନଥିବା ଏହାର ଡେପୁଟି ଡାଇରେକ୍ଟର ଉମେଶ ଚନ୍ଦ୍ର ସୂତାର କହିଛନ୍ତି । ଅବଶ୍ୟ ଗତ ୧୧ ତାରିଖ ଦିନ ଭିସା କାରଖାନାର ମଧୁ ସେଠି ନାମକ ଶ୍ରମିକଙ୍କର ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିଲା । ମୃତ ମଧୁଙ୍କ ଘର ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁରରେ ହୋଇଥିବା ବେଳେ ମୃତ୍ୟୁ ପ୍ରମାଣପତ୍ର ଆସିନଥିବାରୁ ତାଙ୍କ ପରିବାର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ କ୍ଷତି ପୂରଣ ପାଇନାହିଁ । କିନ୍ତୁ ଏହି ପରିସ୍ଥିତିରେ ଆଦୌ ନିଆଁ ନଥାଇ ମନ୍ତ୍ରୀ ବଳସାମନ୍ତ କାହିଁକି ଏବଂ କିପରି ଝାଡଖଣ୍ଡି ଶ୍ରମିକ କହି ଧୂଆଁ ବାହାର କରିବାକୁ ଉଦ୍ୟମ କରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଭବିଷ୍ୟତରେ ଭିସା କାରଖାନାରେ ଯଦି କୌଣସି ଅଘଟଣ ଘଟେ ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଶ୍ଚୟ କ୍ଷତି ପୂରଣ ପରିମାଣକୁ ନେଇ ନାକେଦମ ହେବାକୁ ପଡିବ ବୋଲି କୁହାଯାଉଛି । Post navigation ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ବିସ୍ଥାପିତଙ୍କ ପାଇଁ ଲଢିବ କଂଗ୍ରେସ: ଭକ୍ତ ଦାସ