ଦାଦନ ସମସ୍ୟା ରାଜ୍ୟର ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଲକ୍ଷାଧିକ ଟଙ୍କାର ପୁଞ୍ଜିନିବେଶ ପରେ ବି ରାଜ୍ୟରେ କମୁନି ଦାଦନ ସମସ୍ୟା। ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବିଜେଡି ସରକାର। ଏବେ ଏହି ସମସ୍ୟା ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି। ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଯେତେଗୁଡ଼ିକ କୃଷିଭିତ୍ତିକ ଶିଳ୍ପ ଥିଲା ତାହା ନବୀନ ବାବୁଙ୍କ ଶାସନ ସମୟରେ ବନ୍ଦ ହୋଇଗଲା। ଖୋଦ୍ ନବୀନ ବାବୁଙ୍କ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ସେ ଅଞ୍ଚଳରୁ ୫ ଲକ୍ଷରୁ ଅଧିକ ଲୋକ ଦେଶର ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ସେଠାରେ ଅକଥନୀୟ ଅତ୍ୟାଚାର, ଶୋଷଣର ଶିକାର ହେଉଛନ୍ତି। ଅନେକ ସମୟରେ ଦାଦନ ଖଟିବାକୁ ଯାଉଥିବା ବ୍ୟକ୍ତି ଶେଷରେ ଶବ ହୋଇ ଗାଁକୁ ଫେରୁଛି।

ନବୀନ ବାବୁ ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ବି ରାଜ୍ୟକୁ ଦାଦନମୁକ୍ତ କରିପାରି ନାହାନ୍ତି। କେଉଁ ଜିଲ୍ଲାରୁ କେତେ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ତା’ର ସଠିକ୍ ତଥ୍ୟ ନାହିଁ। ସ୍ବପ୍ନ ବିକିବା ତାଙ୍କର ଏକମାତ୍ର କାମ। ଏତେ କରୁଣ କାହାଣୀ ପରେ ବି ସେ ବିଦେଶ ଓ ଦେଶ ଭିତରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଚିଠା ବାଣ୍ଟୁଥିଲେ। ପ୍ରତିଶୃତି ଓ ପ୍ରତାରଣା ତାଙ୍କର ଥିଲା ବଡ଼ ଉପଲବ୍ଧି।

୨୦୧୧ ମସିହାର ଜନଗଣନା ଅନୁସାରେ ଆମ ଦେଶରେ ୪୧,୪,୨,୯୧୭ ପ୍ରବାସୀ ଶ୍ରମିକ ଥିଲା ବେଳେ ଆମ ରାଜ୍ୟର ସଂଖ୍ୟା ୧୪ତମ ସ୍ଥାନରେ ଥିଲା। ସେହିପରି ୨୦୨୧ ପ୍ରକାଶିତ ଆନ୍ତର୍ଜାତୀୟ ଶ୍ରମ ସଂଗଠନର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ୧୬୯ ନିୟୁତ ପ୍ରବାସୀ ଶ୍ରମିକ ଅଛନ୍ତି, ଯାହାକି ବିଶ୍ୱ ଶ୍ରମ ଶକ୍ତିର ୪.୯ ଶତକଡ଼ା ଅଟେ।

ସାଧାରଣତଃ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ସବୁପ୍ରକାର ଶ୍ରମିକ, ଦାଦନ ଶ୍ରମିକ ବୋଲି ସାଧାରଣ ଲୋକଙ୍କ ଧାରଣା। କିନ୍ତୁ କିଛି ଅଗ୍ରୀମ ଟଙ୍କା ନେଇ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ଶ୍ରମିକମାନଙ୍କୁ ଦାଦନ ଶ୍ରମିକ କୁହାଯାଏ। କାରଣ ‘ଦାଦନ’ ଶବ୍ଦର ଅର୍ଥ ହିଁ ଅଗ୍ରୀମ। ଠିକାଦାରମାନେ ଏହି ଅଗ୍ରୀମ ଅର୍ଥ ଶ୍ରମିକମାନଙ୍କୁ ଦିଅନ୍ତି। ସେମାନେ ସେଥିପାଇଁ ବାହାର ରାଜ୍ୟର ବଡ଼ ଠିକାଦାର କିମ୍ୱା ନିଯୋକ୍ତାଙ୍କ ପାଖରୁ ଆଗୁଆ ଟଙ୍କା ଆଣିଥାଆନ୍ତି। ପ୍ରଚଳିତ ଆଇନ ବ୍ୟବସ୍ଥା ଅନୁସାରେ କେବଳ ଅଗ୍ରୀମ ନେଇ ଠିକାଦାରଙ୍କ ଜରିଆରେ ୫ କିମ୍ୱା ତା’ଠାରୁ ଅଧିକ ଶ୍ରମିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲାଣ ହେବା ବ୍ୟବସ୍ଥାକୁ ଦାଦନ ଶ୍ରମିକ ବା ପ୍ରବାସିକ ଶ୍ରମିକ ଆଇନର ପରିସରଭୁକ୍ତ।

ଦାଦନ ସମସ୍ୟା ଦୂର ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଏହାକୁ ଦୂର କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *