ଓଡ଼ିଶାରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ଦୁର୍ନୀତି ହୋଉଛି କି ନାହିଁ ? ଭାଜପା ସରକାର ଦୁର୍ନୀତି ହୋଇଛି ବୋଲି ବିଧାନସଭାରେ ସ୍ବୀକାର କରିଛନ୍ତି । ଏହି ପ୍ରକଳ୍ପ ନବୀନ ସରକାର ଆରମ୍ଭ କରିଥିଲେ ୨୦୧୭ରେ । ପ୍ରାୟ ୩୫ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହେବା ସହ କାମ ମଧ୍ୟ ହୋଇ ନଥିଲା । ରାଜ୍ୟ ବାହାରର ଅଣଓଡ଼ିଆ ଠିକା ଠିକାଦାରମାନେ ଖାଲି ପାଇପ୍ ବିଛାଇ ୫୦ ରୁ ୮୦% ଅଗ୍ରୀମ ଅର୍ଥ ନେଇ ପାର୍ ହୋଇଯାଇଥିଲେ । ଏହା ମଧ୍ୟ ସରକାର ସ୍ବୀକାର କରିଛନ୍ତି ।

କିନ୍ତୁ ଏଥିପାଇଁ ଉତ୍ତରଦାୟୀ କିଏ ? କେବଳ ଠିକାଦାରଙ୍କ ବିରୋଧରେ ଏତଲା ଦାୟର କଲେ ଦୁର୍ନୀତିର ମୁଖ୍ୟ ସୂତ୍ରଧରମାନଙ୍କୁ ସରକାର ଘଣ୍ଟ ଘୋଡ଼ାଇ ନାହାନ୍ତି କି ?

ସେତେବେଳେ କେଉଁମାନେ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ ? ଉତ୍ତର ହେଲା ଆରମ୍ଭ ସମୟରେ ଅଲେ ପ୍ରତାପ ଜେନା । ତାଙ୍କୁ ପୁଣି ଆଇନ ବିଭାଗ ମିଳିଥିଲା । ନବୀନ ଶାସନର ଶେଷ ଆଡ଼କୁ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ ପ୍ରଦୀପ ଅମାତ । କିନ୍ତୁ ନବୀନ ସରକାରଙ୍କର ଶେଷ କିସ୍ତିର ଶାସନରେ ମନ୍ତ୍ରୀମାନଙ୍କର କୌଣସି ଭୂମିକା ହିଁ ନଥିଲା । ସବୁ ସଚିବ ଓ ଅନ୍ୟ ବରିଷ୍ଠ ଅଧୁକାରୀମାନେ ନିଷ୍ପତ୍ତି ନେଉଥିଲେ ।

କିଏ ଥିଲେ ବିଭାଗୀୟ ସଚିବ ? ଥିଲେ ହାଲକୁ ପଦୋନ୍ନତି ପାଇ ଉନ୍ନୟନ କମିଶନର ହୋଇଥିବା ଦେଓରଞ୍ଜନ କୁମାର ସିଂ । ୨୦୧୩ରୁ ୨୦୨୧ ଅଗଷ୍ଟ ପର୍ଯ୍ୟନ୍ତ ଦେଓରଞ୍ଜନ ହିଁ ଥିଲେ ପଞ୍ଚାୟତିରାଜ ସଚିବ । ଗୋଟିଏ ବିଭାଗରେ ୮ବର୍ଷ ସଚିବ ଦାୟିତ୍ୱରେ ରହିବା ଅର୍ଥ ନବୀନ ଓ ପାଣ୍ଡିଆନଙ୍କ ସମ୍ପୂର୍ଣ୍ଣ ଭରସା ଥିଲା ଡିକେଙ୍କ ଉପରେ ।

୨୦୧୭ରେ ଆରମ୍ଭ ହେଲା ଅଣଓଡ଼ିଆ ଠିକାଦାର ପୋଷଣ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସରିବା କଥା ୨୦୨୧-୨୨ରେ । ସରକାର ଚାଲିଗଲା, କିନ୍ତୁ ସରିଲା ନାହିଁ। ସବୁଆଡ଼େ ଅଧାପନ୍ତୁରିଆ ଅବସ୍ଥା।

ଏତେବଡ଼ ମେଗା ଦୁର୍ନୀତି ପାଇଁ ଅଫିସରମାନେ ଦାୟୀ ହେବେ ନାହିଁ ? ଯେଉଁ ଡିକେଙ୍କ ବିରୋଧରେ ବିଧାନସଭାରେ ସ୍ୱର ଉଠାଇଥିଲେ ଭାଜପା ଓ କଂଗ୍ରେସ ବିଧାୟକମାନେ, ତାଙ୍କର କେଉଁ ଦକ୍ଷତା ଓ ଯୋଗ୍ୟତା ଦେଖି ମୋହନ ସରକାର ତାଙ୍କୁ ଭାବୀ ମୁଖ୍ୟ ସଚିବ ଭାବେ ଉନ୍ନୟନ କମିଶନର କରିଦେଲେ ? ଦ୍ବିତୀୟ ଥର ପାଇଁ ପ୍ରଥମ ତିନିଟି ପ୍ରମୁଖ ପଦବୀ – ମୂଖ୍ୟ ସଚିବ, ଡିଜିପି ଏବଂ ଡିସି ପଦରେ ଅଣଓଡ଼ିଆ ଅଧିକାରୀ ଅବସ୍ଥାପିତ ହେବା ଏକ ରେକର୍ଡ଼ ।

ବିଧାନସଭାର ଗତ ଶୀତ ଅଧିବେଶନ ବେଳେ ପୁଣି ଉଠିଲା ଘର୍ ଘର୍ ନଲ୍ -ହର୍ ଘର୍, ନିଲ୍‌ସେ ଜିଲ୍’ ଯୋଜନାର ଦୁର୍ନୀତି ପ୍ରସଙ୍ଗ । ଓଡ଼ିଶାରେ ମେଗା ଜଳପ୍ରକଳ୍ପ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ ।

ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି ଦୁର୍ନୀତି ପାଇଁ ପୂର୍ବତନ ସରକାରଙ୍କୁ ଦାୟୀ କରିଥିଲେ । ୮୦ ପ୍ରତିଶତ ପାଇପ୍ ବିନା ପାଣି କନେକସନ୍‌ରେ କିଣା ଯାଇଥିବା ସ୍ବୀକାର କରିଥିଲେ ମନ୍ତ୍ରୀ। ଏପରିକି ବିଜୁ ଜନତା ଦଳ ବିଧାୟିକା ସୁଜାତା ସାହୁ (ଯାଜପୁର )କହିଥିଲେ ଯେ, ୨୦୧୭ ରେ ଯାଜପୁର ଜଳଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ୨୨ରେ ସରିବା କଥା। କିନ୍ତୁ ଏଯାବତ ସରିଲା ନାହିଁ । କଂଗ୍ରେସ ସଦସ୍ୟା ସୋଫିଆ ଫିରଦୌସ ୩୫ ହଜାର କୋଟି ଟଙ୍କାର ଦୁର୍ନୀତି ମେଗା ଜଳଯୋଗାଣ ପ୍ରକଳ୍ପରେ ହୋଇଥିବା ଅଭିଯୋଗ କରି ପୂର୍ବ ବିଜଦ ସରକାରକୁ ଦାୟୀ କରିଥିଲେ।

ଗତବର୍ଷ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ସ୍ବୀକାର କରିଥିଲେ ଯେ, ପୂର୍ବ ସରକାରଙ୍କ ଯୋଗୁ ରାଜ୍ୟ ବାହାରର ଅଣଓଡ଼ିଆ ଠିକାଦାରମାନେ ଖାଲି ପାଇପ୍ ପକେଇ ୫୦ ରୁ ୮୦ ପ୍ରତିଶତ ଅର୍ଥ ଅଗ୍ରାମ ଆକାରରେ ନେଇ ପଳାଇଛନ୍ତି । ଏହି ମେଗା ପ୍ରକଳ୍ପ ପାଇଁ ଜଳଜୀବିକା ମିଶନ ବିପୁଳ ଅର୍ଥ ଓଡ଼ିଶାକୁ ଦେଇଥିଲା । ଠିକା ସଂସ୍ଥାଙ୍କ ବିରୋଧରେ ଏତଲା ଦାଖଲ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏବେ ଆଇନ ମନ୍ତ୍ରୀ କ‌ହୁଛନ୍ତି ଯେ ଗତ ସରକାର ଅମଳରେ ଯେଉଁମାନେ ଦୁର୍ନୀତିରେ ଲିପ୍ତ ଥିବେ, ସେମାନେ ଅବଶ୍ୟ ଭୋଗିବେ। ଭାଜପା ସରକାର କାହାକୁ ଛାଡ଼ିବେ ନାହିଁ । ଯିଏ ଯେମିତି କରିଥିବ, ସେ ସମିତି ଫଳ ପାଇ ପାଇବ।

ଅନେକ ଦୁର୍ନୀତି ହୋଇଛି ଗତ ସରକାରଙ୍କ ଅମଳରେ। କିନ୍ତୁ ଜନତାଙ୍କ ସହ ଯେଉଁ ପ୍ରକଳ୍ପର ବଡ଼ ସମ୍ପର୍କ ଥିଲା, ସେହି ପ୍ରକଳ୍ପରେ ଏତେବଡ଼ ଦୁର୍ନୀତିକୁ ଭାଜପା ସରକାର ବରଦାସ୍ତ କରିଛନ୍ତି କେମିତି ? ବିଧାନସଭା ଗତ ଶୀତ ଅଧିବେଶନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଥିଲେ ଯେ ବିଜଦ ସରକାର ୫ ବର୍ଷରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ ସାରିଥିଲେ ।

ଆମେ ୧୭ ମାସରେ ୨୨ଟି ସାରିଛୁ । ଏପ୍ରକାର ଦମ୍ଭ ଠିକ୍‌ଅଛି । କିନ୍ତୁ ବିଜଦ ସରକାର ଘରକୁ ପାଣିଦେବା ନାଁରେ ଯେଉଁ ବିପୁଳ ଅର୍ଥ ବାଟମାରଣ କରି ଅଣଓଡ଼ିଆ ଠିକାଦାରଙ୍କୁ ପୋଷିଥିଲେ, ସେଥିପାଇଁ କାହାକୁ ଦାୟୀ କରିବେ ରବି ନାୟକ ?

ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଭିତରୁ ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୨୫ଟି ସରିଛି। ଟଙ୍କା କେନ୍ଦ୍ରର । ଦୁର୍ନୀତି ହେଲା ବିଳଦ ସରକାର ଅମଳରେ। କିନ୍ତୁ ଆଖ୍ ବୁଜିଦେଇଛରି ଭାଜପା ସରକାର। ଯେଉଁ ଆଇଏଏସ୍ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ଥିଲା ଓଲଟି ତାଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି ।

ଭାରତୀୟ ଜନତା ପାର୍ଟିର ୨୦୨୪ ସଂକଳ୍ପପତ୍ରର ପ୍ରଥମ ସଂକଳ୍ପ ଥୁଲା ବିଜଦ ସରକାର ଅମଳରେ ହୋଇଥିବା ଦୁର୍ନୀତିରେ ପୂର୍ଣ୍ଣଚ୍ଛେଦ ପକାଇବା। ବୋଧହୁଏ ଭାଜପା ସରକାର ଏହି ସଂକ‌ଳ୍ପର ଆଉ ଏକ ବିକଳ୍ପ ଅର୍ଥ ବାହାର କରି ସବୁ ଦୁର୍ନୀତିକୁ ଘୋଡ଼ାଇବାକୁ ବସିଛନ୍ତି । ତାହାହିଁ ହେବ ଅସଲ ପୂର୍ଣଚ୍ଛେଦ ।

Leave a Reply

Your email address will not be published. Required fields are marked *