ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସୁପ୍ରସିଦ୍ଧ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୩୭ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶର ଇତିହାସ, ଯୁବଶକ୍ତିର ସୃଜନଶୀଳତା, ମହିଳା ସଶକ୍ତୀକରଣ ଏବଂ ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଇତିହାସକୁ ଏକ ନୂଆ, ସହଜ ଓ ରୋଚକ ଢଙ୍ଗରେ ଲୋକଲୋଚନକୁ ଆଣୁଥିବା ନୂତନ ପ୍ରୟାସଗୁଡ଼ିକର ଉଚ୍ଚପ୍ରଶଂସା କରିଛନ୍ତି। ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ବୈଷୟିକ ଜ୍ଞାନକୌଶଳ ବିଶେଷଜ୍ଞ କୃଷ୍ଣ ଶେଷାଦ୍ରୀଙ୍କ ସହ ସୀଧାସଳଖ କଥାବାର୍ତ୍ତା କରିଥିଲେ। କୃଷ୍ଣ ଭାରତୀୟ ଇତିହାସକୁ ସହଜ ଓ ରୋଚକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ https://www.bharatrajya.com ନାମକ ଏକ ୱେବସାଇଟ୍ ତିଆରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆମ ବିଦ୍ୟାଳୟ ଓ କଲେଜଗୁଡ଼ିକରେ କେବଳ କିଛି ନିର୍ଦ୍ଦିଷ୍ଟ ସାମ୍ରାଜ୍ୟ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ, ଶହ ଶହ ବର୍ଷ ଧରି ଶାସନ କରିଥିବା ଚୋଳ, ପଲ୍ଲବ, ତାଞ୍ଜାବୁର ଓ ଅହୋମ୍ ଭଳି ମହାନ ସାମ୍ରାଜ୍ୟଗୁଡ଼ିକ ବିଷୟରେ ଲୋକମାନେ କମ୍ ଜାଣିବାକୁ ପାଆନ୍ତି। ଏହି ୱେବସାଇଟ୍ ମାଧ୍ୟମରେ ଲୋକେ ଯେକୌଣସି ବର୍ଷ ଚୟନ କରି ସେହି ସମୟର ଭାରତୀୟ ଇତିହାସ ବିଷୟରେ ସହଜରେ ଜାଣିପାରିବେ। ଏହି ଆଲୋଚନା ସମୟରେ ରାଜରାଜ ଚୋଳ, ସାମରିକ ବିଶାରଦ ସମ୍ରାଟ ହେମୁ, ଏବଂ ଓଡ଼ିଶାର ଭୌମକର ବଂଶର ଅସାଧାରଣ ଶାସକ ତ୍ରିଭୁବନ ମହାଦେବୀଙ୍କ ବୀରତ୍ୱ ଓ ଶାସନ କୌଶଳ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ‘ନଶାମୁକ୍ତ ଯୁବା ହିଁ ବିକଶିତ ଭାରତ’ର ମୂଳଦୁଆ ବୋଲି କହିବା ସହ ଯୁବବର୍ଗଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ‘ସ୍ୱଚ୍ଛ ଅମରନାଥ ଯାତ୍ରା’ ଏବଂ ସ୍ୱଚ୍ଛତା କର୍ମୀଙ୍କ ଅବଦାନକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ ପାର୍ବଣ ଋତୁ (ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦୀପାବଳି) ପାଇଁ ଦେଶବାସୀଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରି ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ସଫଳ କରିବାକୁ ସେ ନିବେଦନ କରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଅଗଷ୍ଟ ମାସ ସାରା ଦେଶରେ ରାଷ୍ଟ୍ରପ୍ରେମର ଏକ ବିଶେଷ ପରିବେଶ ସୃଷ୍ଟି ହୋଇଛି। ‘ହର ଘର ତିରଙ୍ଗା’ ଅଭିଯାନରେ ୫ କୋଟିରୁ ଅଧିକ ସେଲଫି ଅପଲୋଡ୍ କରାଯାଇଛି। ‘ସୂର୍ଯ୍ୟପଥ ତିରଙ୍ଗା’ ମାଧ୍ୟମରେ ମହାକାଶ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭାରତୀୟ ତିରଙ୍ଗା ଉଡ଼ାଯାଇ ଦେଶ ଗୌରବାନ୍ୱିତ ହୋଇଛି। ଏଥି ସହିତ ଛୋଟ ଛୋଟ ବ୍ୟବସାୟୀ ଓ ରାସ୍ତାକଡ଼ର ବିକ୍ରେତାମାନଙ୍କୁ ସ୍ୱାବଲମ୍ବୀ କରିବାରେ ‘ପିଏମ୍ ସ୍ୱନିଧି ଯୋଜନା’ ଏକ ବଡ଼ ବିପ୍ଳବ ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କୀ ବାତ୍’ରେ ପ୍ରକାଶ କରିଛନ୍ତି ଯେ, ଏହି ଯୋଜନାର କାର୍ଯ୍ୟକାରୀ ହେବା ଫଳରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ମହିଳା ଲାଭବାନ୍ ହୋଇଛନ୍ତି। ଗାଜିଆବାଦର ବବିତା ଶର୍ମା ଏବଂ ବେଙ୍ଗାଲୁରୁର ଟି.ଏସ. ନିନ୍ନାମ୍ମାଙ୍କ ଭଳି ମହିଳାମାନେ ଏହି ଯୋଜନାରୁ ଆର୍ଥିକ ସହାୟତା ପାଇ ନିଜର ଆର୍ଥିକ ସ୍ଥିତି ସୁଧାରିବା ସହ ନିଜ ପରିବାର ଓ ପିଲାଙ୍କୁ ଉଚ୍ଚଶିକ୍ଷା ଦେବାରେ ସକ୍ଷମ ହୋଇପାରିଛନ୍ତି। ନାରୀ ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ଜୀବନ୍ତ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଛୋଟ ଛୋଟ ଚେଷ୍ଟା ଦ୍ୱାରା ଆସୁଥିବା ବଡ଼ ପରିବର୍ତ୍ତନକୁ ନେଇ ନିକଟରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି। ସ୍ୱଚ୍ଛତା ଅଭିଯାନ, ପ୍ରକୃତି ସଂରକ୍ଷଣ, ନୂତନ କୃଷି ପଦ୍ଧତି, ଯୁବ ବୈଜ୍ଞାନିକଙ୍କ ମହାକାଶ ସ୍ୱପ୍ନ ଏବଂ ସାଂସ୍କୃତିକ ଐତିହ୍ୟକୁ ନେଇ ପ୍ରେରଣାଦାୟୀ କାହାଣୀ ପ୍ରକାଶ ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ବଚ୍ଛତାର ଉପରେ ଗୁରୁତ୍ଵ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ବଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ବ ରହିଛି । ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖୁବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ବ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର-ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହେନାହିଁ । ଏହାଦ୍ବାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ । ଦେଶର ବିଭିନ୍ନ ଭାଗରେ ସ୍ବଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ସର ପ୍ରେରଣା ଯୋଗାଇଥାଏ । ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଈ । ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । ବାସ୍, ତା’ ପରେ ଆଉ କ’ଣ! ଆକାଶ ଓ ରୋହନ ଦୁହେଁ ଅଳିଆଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରିପଡ଼ିଲେ । ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ିହେବାରେ ଲାଗିଲେ । ତା’ପରେ ଏକ ଟିମ୍ ଗଢ଼ିଉଠିଲା, ଯାହାର ନାଁ ହେଲା – ‘କ୍ଲିନ୍-ଅପ ପଟୱାଈ’ । ଏହି ଯୁବକମାନେ ଆଜି ସୁଦ୍ଧା ଚାରୋଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି । ଏକ ଟନରୁ ଅଧୂକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି । ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି । ଓଡ଼ିଶାର ବରଗଡ଼ ଜିଲ୍ଲା ଦେବ୍ରୀଗଡ଼ ଅଭୟାରଣ୍ୟ ନିକଟସ୍ଥ ମେଘନାଦ ଗାଁର କାହାଣୀ ପ୍ରେରଣାଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପୂର୍ବରୁ ସାଧାରଣ ଲୋକେ ଜଙ୍ଗଲ ଉପରେ କେବଳ କାଠ, ମହୁ ଓ କେନ୍ଦୁପତ୍ର ସଂଗ୍ରହ ପାଇଁ ନିର୍ଭର କରୁଥିଲେ। କିନ୍ତୁ ଏବେ ମୈଥିଲୀ ଜୀଙ୍କ ଭଳି ଗ୍ରାମବାସୀ ପର୍ଯ୍ୟଟନ ଓ ଜଙ୍ଗଲ ସଂରକ୍ଷଣ କାର୍ଯ୍ୟ ସହ ଯୋଡ଼ିହୋଇଛନ୍ତି।ଆଜି ୪୦ରୁ ଉର୍ଦ୍ଧ୍ୱ ମହିଳା ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ଗାଇଡ୍ ଏବଂ ଇକୋ-ଟୁରିଜିମ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ପ୍ରକୃତି ସଂରକ୍ଷଣ ସହ ଜୀବିକାରେ ସମୃଦ୍ଧି ଆଣିପାରିଛି। ସେହିପରି ନାଗାଲାଣ୍ଡର ଫେକ୍ ଜିଲ୍ଲାର କୃଷକ ପରିବାରର କେସାଲୁ ପୁରୋ ୨୦୧୯ରେ ମାତ୍ର ଏକ-ଚତୁର୍ଥାଂଶ ଏକର ଜମିରେ ଗ୍ଲାଡିଓଲସ୍ ଫୁଲ ଚାଷ ଆରମ୍ଭ କରିଥିଲେ। ବୈଜ୍ଞାନିକ ପ୍ରଣାଳୀରେ ତାଲିମ ନେଇ ସେ ଏବେ ନିଜ ଫୁଲକୁ ନାଗାଲାଣ୍ଡ ବାହାରେ ଦିଲ୍ଲୀ ଓ ମୁମ୍ବାଇ ଭଳି ବଡ଼ ସହରକୁ ପଠାଉଛନ୍ତି। ମିଶନ୍ ଶକ୍ତିସାଟ୍ ମାଧ୍ୟମରେ ଦେଶର ପ୍ରାୟ ୧୨,୦୦୦ ଛାତ୍ରୀଙ୍କୁ ମହାକାଶ ପ୍ରଯୁକ୍ତିବିଦ୍ୟା, ସାଟେଲାଇଟ୍ ଏବଂ ରୋବୋଟିକ୍ସ କ୍ଷେତ୍ରରେ ତାଲିମ୍ ଦିଆଯାଉଛି। ଗୌତମବୁଦ୍ଧ ବିଶ୍ୱବିଦ୍ୟାଳୟରେ ଏହାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ପେଲୋଡ୍ କୁ ଚନ୍ଦ୍ର କକ୍ଷପଥକୁ ପ୍ରେରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିଭିନ୍ନ ରାଜ୍ୟରେ କୃଷକମାନେ ପାରମ୍ପରିକ ଚାଷ ସହ ନୂତନ ପ୍ରିମିୟମ୍ ଫଳ ଚାଷ କରୁଛନ୍ତି ।ଆନ୍ଧ୍ରପ୍ରଦେଶର କୁପ୍ପମ୍ର ବରଦରାଜ ଜୀ ଏବେ ୪ ଟନ୍ ପର୍ଯ୍ୟନ୍ତ ଆଭୋକାଡୋ ଉତ୍ପାଦନ କରୁଛନ୍ତି। ସେହିପରି ତାମିଲନାଡୁ ଓ କର୍ଣ୍ଣାଟକର କୋଡାଇକେନାଲର ଚନ୍ଦ୍ରଶେଖରନ୍ ଜୀ ଏବଂ ଚିକ୍ମଗଲୋରର କୃଷକମାନେ କଫି ଓ ଗୋଲମରିଚ ବଗିଚା ମଧ୍ୟରେ ଆଭୋକାଡୋ ଚାଷ କରି ନିଜ ରୋଜଗାର ବୃଦ୍ଧି କରିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ସିନେମା ଜଗତର ମହାନାୟକ ଉତ୍ତମ କୁମାରଙ୍କ ସ୍ମୃତିଚାରଣ କରିଛନ୍ତି। ସତ୍ୟଜିତ୍ ରାୟଙ୍କ ସହ ତାଙ୍କର କାର୍ଯ୍ୟ (‘ନାୟକ’ ଓ ‘ହିରୋ’) ଏବଂ ତାଙ୍କର ଅଭିନୟ ଶୈଳୀ ପ୍ରଶଂସାଯୋଗ୍ୟ। ସେ କହିଛନ୍ତି “ମହାନାୟକ ଉତ୍ତମ କୁମାର ତିରୋଦିନ ମାନୁଷେର ହୃଦୟେ ରାଜ କୋରବେନ୍”। ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ଆଗାମୀ ପର୍ବପର୍ବାଣୀ ଉପରେ ଆଲୋଚନା କରିଥିଲେ। ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା ଏବଂ ଦୀପାବଳି ପରି ଆଗାମୀ ପର୍ବପର୍ବାଣୀ ଅବସରରେ ଦେଶବାସୀଙ୍କୁ ‘ଭୋକାଲ୍ ଫର୍ ଲୋକାଲ୍’ ର ଆହ୍ୱାନ ଦିଆଯାଇଛି । ଏହା ସହ ସ୍ଥାନୀୟ କାରିଗର, ଶିଳ୍ପକାର ଓ ମାଟିର ଦୀପ ତିଆରି କରୁଥିବା ଲୋକଙ୍କଠାରୁ ସାମଗ୍ରୀ କିଣିବାକୁ ଅନୁରୋଧ କରାଯାଇଛି।ଦେଶୀ ଉତ୍ପାଦକୁ ଆପଣାଇ ‘ଆତ୍ମନିର୍ଭର ଭାରତ’ ଗଠନରେ ନିଜ ନିଜର ଯୋଗଦାନ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି । Post navigation Mann ki baat: ୧୩୭ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ; ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ: ମନମୋହନ ସାମଲ Sugar Prices Rise: ଇଥାନଲ୍ ପାଇଁ ବୃଦ୍ଧି ହେଉଛି ଚିନି ଦର: କୃଷ୍ଣଚନ୍ଦ୍ର ପାତ୍ର