ଦୁର୍ଗାପୂଜାରୁ ଆରମ୍ଭ ହୁଏ ପାର୍ବଣ। ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟର ବିଜୟ ପାଇଁ ଧରାବତରଣ କରନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଦୁର୍ଗାପୂଜା ଆଶ୍ୱିନ ମାସରେ ପାଳନ ହୁଏ । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।

ଦୁର୍ଗାପୂଜାରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର। ରଙ୍ଗବେରଙ୍ଗ ତୋରଣ ସାଙ୍ଗକୁ ଆଲୋକମାଳାରେ ଝଲସୁଛି ସହର। ଉତ୍ସବମୁଖର ହୋଇଉଠିଛି। ମା’ଙ୍କ ଆଗମନ ମନରେ ଖୁସି ଭରି ଦେଇଛି। ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ। ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା। ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ। ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କ ଜନ୍ମଦିବସ। ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ।

ଅନ୍ୟ ଦଶହରା ପର୍ବ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ। ଏହା ଦୁର୍ଗାପୂଜାର ଶେଷ ଦିବସ। ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ। ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି।

ପୁରାଣରେ ବର୍ଣ୍ଣିତ ଅଛି, ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ ସେତେବେଳେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟ ହେଲେ। ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ, ଶେଷରେ ଦେବୀ ସିଂହବାହିନୀ ହୋଇ ମହିଷାସୁର ବଦ୍ଧ କରିଥିଲେ। ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ।

Leave a Reply

Your email address will not be published. Required fields are marked *