ମକର ସଂକ୍ରାନ୍ତି ଭଳି ଏକ ମହାନ ଦିନରେ ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିଚନ୍ତି । ଗତକାଲି ସନ୍ଧ୍ୟାଠାରୁ ନୀତିକାନ୍ତି ବନ୍ଦ ରହିଛି । ଏହାକୁ ନେଇ କଡ଼ା ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ନଦେବାକୁ ବିଧାୟକ ସେବାୟତମାନଙ୍କୁ ଅନୁରୋଧ କରିଛନ୍ତି । ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ । ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କର ସେବା କରିବାକୁ ଯୋଗ୍ୟତା ନଥିବା ବିଧାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି । ନୀତିକାନ୍ତି ବନ୍ଦ ରଖିଥିବା ସେବାୟତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାବୁ ସିଂ କହିଛନ୍ତି ।

ସୂଚନା ଯୋଗ୍ୟ; ଗତକାଲି ସନ୍ଧ୍ୟାରେ କ୍ଷୀର ଆଉଟା ନୀତିକୁ ନେଇ ବିବାଦ ସୃଷ୍ଟି ହୋଇଛି । ଉଭୟ ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ଶୀତ ଋତୁରେ ମକର ସଂକ୍ରାନ୍ତିରୁ କୁମ୍ଭ ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ଔଷଧ ବା ଘୃତଲେପନ ବିଧି କରାଯିବାର ପରମ୍ପରା ରହିଛି । ଏଥିଲାଗି ମକର ସଂକ୍ରାନ୍ତି ପୂର୍ବଦିନ କ୍ଷୀର ଆଉଟା ନୀତି କରାଯାଇଥାଏ । କିନ୍ତୁ ଗତକାଲି ଏହି ନୀତିରେ ବିଭ୍ରାଟ ସୃଷ୍ଟି ହୋଇଥିଲା । ବ୍ରାହ୍ମଣ ନିଯୋଗ ସମସ୍ତ ସରଞ୍ଜାମ ସଜାଡ଼ି ରଖିଥିଲେ । କିନ୍ତୁ ମେଘଡମ୍ବରୁ ଏବଂ କ୍ଷୀର ଆସିନଥିବା ଅଭିଯୋଗ କରି ବଡ଼ୁ ସେବାୟତମାନେ ନୀତି କରିବାକୁ ଅଡ଼ି ବସିଥିଲେ । ପରେ ମେଘଡମ୍ବରୁ ଆସିଥିବାବେଳେ କ୍ଷୀର ଆସିନଥିବା ଅଭିଯୋଗ କରିଥିଲେ । ଏହା ମନ୍ଦିରର ପ୍ରଶାସନିକ ଅଧିକାରୀ ଉପସ୍ଥିତ ନଥିବା ମଧ୍ୟ କହିଥିଲେ । ଯାହାକୁ ନେଇ ବିବାଦ ଦେଖାଯିବା ପରେ ବଡ଼ୁ ସେବାୟତ ମାନେ ପହୁଡ଼ ପକାଇ ଦେଇଥିଲେ ।

ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିବା କିଛି ନୂଆ ଘଟଣା ନୁହେଁ । ବିଭିନ୍ନ ପର୍ବପର୍ବାଣୀରେ ସେବାୟତଙ୍କ ଏଭଳି ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *