ଭାଷାର ଆବଶ୍ୟକ‌ତା ବାର୍ତ୍ତାଳାପ ପାଇଁ। ଜଣେ ଅନ୍ୟକୁ ବୁଝି ପାରିବ କେମିତି ? ବୁଝେଇ ପାରିବ କେମିତି ? ପ୍ରଥମେ ତ ଭାଷା ନ ଥିଲା । କେବଳ ଥିଲା ସଙ୍କେତ। ଏବେ ବି ନିରବତାର ଭାଷା ହେଲା ସଙ୍କେତ, ପ୍ରେମର ଭାଷା ହେଲା ସଙ୍କେତ, ନ କହି ବୁଝେଇ ପାରିବାର ଭାଷା ହେଲା ସଙ୍କେତ। ଇସାରାରେ କହି ହୁଏ ଅନେକ କଥା । ଶାରୀରିକ ଅଙ୍ଗଭଙ୍ଗୀ ଦ୍ବାରା ମଧ୍ୟ ବୁଝେଇ ହୁଏ ମନର କଥା । ଭାଷା ସ୍ପଷ୍ଟତା ଆଣେ । ଭାଷା ଭାବ ପ୍ରକାଶର ମାଧ୍ୟମ । ଭାବ ପ୍ରକାଶ ପାଇଁ ବ୍ୟବହୃତ ଶବ୍ଦକୁ ନେଇ ଆମେ ଭାଷା ତିଆରି ଥାଉ। କଥୋପକଥନର ଭାଷା ଓ ସାହିତ୍ୟର ଭାଷା । କଥୋପକଥନର ଭାଷା ଦୈନନ୍ଦିନ ବ୍ୟବ‌ହାରର ଭାଷା । ସାହିତ୍ୟର ଭାଷା ସାମାଜିକ ଅଭିବ୍ୟକ୍ତିର ଭାଷା । ଜୀବନ, ଦର୍ଶନ ଓ ସମ୍ପର୍କର ଭାଷା । କଥିତ ଭାଷା ସାଧାରଣତଃ ଅଣ-ଔପଚାରିକ ଓ ସ୍ଥାନୀୟ ହୋଇଥାଏ।

ସାହିତ୍ୟର ଭାଷା ବିଷୟବସ୍ତୁ ସମ୍ପର୍କିତ, ଅଧ‌ିକ ନାନ୍ଦନିକ ଓ କାବ୍ୟିକ ହୋଇଥାଏ । ଯେକୌଣସି ଭାଷାର ଲିପି ଓ ଭାଷାର କ୍ରମବିକାଶ ସାହିତ୍ୟ ଉପରେ ନିର୍ଭର କରିଥାଏ। ଭାଷାର ହିଁ ଏହାର ଶାସ୍ତ୍ରୀୟତାକୁ ପ୍ରତିପାଦିତ କରେ । ଭାରତରେ କେନ୍ଦ୍ର ସାହିତ୍ୟ ଏକାଡେମି କୌଣସି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ସେତେବେଳେ ପ୍ରଦାନ କରନ୍ତି, ଯେତେବେଳେ ପ୍ରାମାଣିକ ଭାବରେ ସେହି ଭାଷାର ୧୫୦୦ରୁ ୨୦୦୦ ବର୍ଷର ଇତିହାସ ଥୁବାର ଜଣାଯାଏ ଏବଂ ସେହି ଭାଷା ଏକ ସତନ୍ତ୍ର ଭାଷା ବୋଲି ତଥ୍ୟ ସହିତ ପ୍ରମାଣିତ ହୁଏ।

ଓଡ଼ିଆ ଭାଷା ତାର ପ୍ରାଚୀନତାକୁ ନେଇ ସମୃଦ୍ଧ । ବହୁ ବିବର୍ତ୍ତନ ଦେଇ ଓଡ଼ିଆ ଭାଷା ଆଗେଇ ଆସିଛି । ୨୦୧୪ରେ ସିନା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ମିଳିଲା, ଓଡ଼ିଆ ଭାଷାର ସ୍ଥିତି, ପ୍ରସାରଣ ଓ ବ୍ୟବହାର ଖୁବ୍ ଦୀର୍ଘ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାଚୀନତା ପଞ୍ଚଦଶ ଶତାବ୍ଦୀର ସାରଳା ଦାସଙ୍କଠାରୁ ଆଜି ପର୍ଯ୍ୟନ୍ତ ଲିପିବଦ୍ଧ । ତା’ପୂର୍ବରୁ ମଧ୍ୟ ବୌଦ୍ଧ ସାହିତ୍ୟ ଚର୍ଯ୍ୟାପଦ ଓ ଅନ୍ୟାନ୍ୟ ପ୍ରାମାଣିକ ତଥ୍ୟରୁ ଓଡ଼ିଆ ଲିପିର ବିବର୍ତ୍ତନ ଜଣାପଡେ ।

ପୃଥ‌ିବୀରେ ପ୍ରାୟତଃ ୭୧୦୦ଟି ଭାଷା ରହିଛି ବୋଲି ଏକ ପରିସଂଖ୍ୟାନରୁ ଜଣାଯାଏ। ଭାରତରେ ସର୍ବାଧ‌ିକ ବ୍ୟବହୃତ ଭାଷାମାନଙ୍କ ଭିତରେ ଓଡ଼ିଆର ସ୍ଥାନ ନ‌ବମ । ଭାଷା ହିଁ ଓଡ଼ିଶା ଭୂଖଣ୍ଡର ଆଧାର ଥିଲା । ୧୮୬୬ର ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଆ ଜାତି ନବଜାଗରଣର ଯେଉଁ ଅଧ୍ୟାୟ ଲେଖିଥିଲା, ତାର ପ୍ରମୁଖ ଅସ୍ତ୍ର ଥିଲା ଓଡ଼ିଆ ଭାଷା । ୧୯୩୬ରେ ସତନ୍ତ୍ର ଉତ୍କଳ ପ୍ରଦେଶ ସହିତ ଏହି ଉଦ୍ୟମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଥିଲା । ସାଧନ ଭାରତବର୍ଷରେ ଭାଷା ହିଁ ରାଜ୍ୟ ଗଠନର ଆଧାର ହୋଇଥିଲା ।

ଭାଷା ପାଇଁ ଭୂମି ମିଳିଗଲା ପରେ, ଭାଷାକୁ ନେଇ କେବେ ଆତଙ୍କିତ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଇ ନଥୁଲା । ଏବେ ପଶ୍ଚିମ ଓଡ଼ିଶାର ସୁପ୍ତ ଆନ୍ଦୋଳନ ହୁଏତ ପୁଣି ମୁଣ୍ଡ ଟେକିବାକୁ ଯାଉଛି। ଶାସକ ବଳର ଜଣେ ବିଶିଷ୍ଟ ନେତା ଉତ୍କଳ ସହିତ କଳିଙ୍ଗ ଓ କୋଶଳ ମିଶିବା ଏକ ଐତିହାସିକ ତ୍ରୁଟି ବୋଲି କହିଲେଣି। ଜଣେ ପଦ୍ମ ପୁରସ୍କାର ବିଜେତା ଗତ କିଛି ବର୍ଷ ହେଲା ପ୍ରତିଦିନ ଓଡ଼ିଆ ଭାଷାକୁ ଗାଳି ଦେଇଛରି । ଅଥଚ ସତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ସମ୍ବଲପୁର, ପାରଳାଖେମୁଣ୍ଡି ଓ ମୟୂରଭଞ୍ଜର ଅବଦାନ ଥିଲା ଅନନ୍ୟ । ଆଞ୍ଚଳିକ ଅର୍ଥନୈତିକ ତାରତମ୍ୟକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ, ଏହା ଆଦୌ ସତ୍ୟ ନୁହେଁ ବୋଲି ବହୁ ପରିସଂଖ୍ୟାନ କହିବ । ଓଡ଼ିଶାର ସବୁ ଶିଳ୍ପ ପଶ୍ଚିମ ଓଡ଼ିଶାରେ । ଶିଳ୍ପ ଯେଉଁଠି, ଅର୍ଥନୀତିର ବିକାଶ ସେଇଠି । ଯଦି ତଥାପି କେହି ଭାବୁଥାଏ, ଉପକୂଳ ଅଞ୍ଚଳ ଅଧିକ ବିକଶିତ ବୋଲି, ସେମାନେ ଆଭ୍ୟନ୍ତରୀଣ ଉପକୂଳ ଅଞ୍ଚଳକୁ ଦେଖିନାହାଁନ୍ତି । ତା ଛଡା, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ଜଣେ ଜଣେ ଜନ ପ୍ରତିନିଧି ବାରମ୍ବାର ଏପରିକି ୧୦ ଥର ପର୍ଯ୍ୟନ୍ତ ସଂସଦ ଓ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅଭିଯୋଗ କାହା ବିରୋଧରେ ? ହୁଏତ ଏହି ଅସହିଷ୍ଣୁତା କେବଳ ଓଡ଼ିଆ ଭାଷା ବିରୋଧରେ ।

ଏବେ ତାମିଲନାଡୁରେ ହିନ୍ଦୀ ଭାଷା ବିରୋଧୀ ଏକ ତୀବ୍ର ମନୋଭାବକୁ ଦେଖୁବାକୁ ମିଳୁଛି। ତାମିଲନାଡୁ ସବୁଦିନ ହିନ୍ଦୀ ଭାଷାକୁ ବିରୋଧ କରି ଆସିଛି । କିନ୍ତୁ, ନୂଆ ଶିକ୍ଷା ନୀତିରେ ହିନ୍ଦୀକୁ ତାମିଲ ଭାଷାଭାଷୀ ଲୋକଙ୍କ ଉପରେ ଲଦି ଦିଆଯିବ ବୋଲି ଏକ ମିଛ ଆଶଙ୍କାକୁ ତିଆରି କରାଯାଉଛି । ନୂତନ ଶିକ୍ଷା ନୀତି-୨୦୨୦ରେ ଏଭଳି କୌଣସି ପ୍ରୟାସ ନାହିଁ । ତ୍ରିଭାଷୀ ଶିକ୍ଷାରେ ଛାତ୍ରଛାତ୍ରୀ ନିଜେ ପଢିବାକୁ ଚାହୁଁଥିବା ଭାଷାକୁ ପସନ୍ଦ କରିବାର ବ୍ୟବସ୍ଥା ରହିଛି । କମଳ ହାସନଙ୍କ ଭଳି ଅଭିନେତା ନିଜ ଫିଲ୍ମକୁ ହିନ୍ଦୀରେ ଭାଷାନ୍ତରିତ (ୟଙ୍କରରସଭଶ)କରି ଅଧ‌ିକ ଟଙ୍କା କମେଇ ପାରନ୍ତି। ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିପାରନ୍ତି । କିନ୍ତୁ, ହିନ୍ଦୀ ବିରୋଧୀ ଆନ୍ଦୋଳନର ସେ ଜଣେ ପ୍ରମୁଖ ପ୍ରବକ୍ତା ସାଜିଛନ୍ତି । କି ବିଚିତ୍ର ବିରୋଧାଭାସ!!

ଭାଷା କେମିତି ଶତ୍ରୁତାର କାରଣ ହୋଇପାରେ ? ଶବ୍ଦଙ୍କୁ ବ୍ରହ୍ମ କୁହାଯାଏ । ନିରୀହ ଶବ୍ଦମାନେ ସମ୍ପର୍କିତ କରାନ୍ତି । ଯେଉଁମାନେ ଶବ୍ଦ ଓ ଭାଷାକୁ ନେଇ ବିଭାଜନ ସୃଷ୍ଟି କରୁଛନ୍ତି, ସେମାନେ ଆତ୍ମନୀରିକ୍ଷଣ କରନ୍ତୁ ଯଦି ଭାଷା ରାଜ୍ୟ ଗଠନର ମାଧ୍ୟମ ହୋଇ ନଥାନ୍ତା, ତେବେ କେଉଁ ଭାଷାକୁ ନେଇ ଯୁଦ୍ଧ କରୁଥାନ୍ତେ ? ନିଜ ଭାଷାକୁ ଭଲ ପାଇବାବେଳେ, ଅନ୍ୟ ଭାଷାକୁ ଘୃଣା କରିବାର ଆବଶ୍ୟକ‌ତା କେଉଁଠି ଥାଏ ?

ଚେକୋସ୍ଲୋଭିଆରେ ଗୋଟିଏ ଲୋକ ଭକ୍ତି ଅଛି- ‘ନୂଆ ଭାଷାଟିଏ ଶିଖ, ନୂଆ ଆତ୍ମାଟିଏ ପାଅ’ । ଭାଷା ପ୍ରଜ୍ଞାଦାନ କରାଏ, ଶତ୍ରୁତା ଶିଖାଏ ନାହିଁ ।

Leave a Reply

Your email address will not be published. Required fields are marked *