ନୂଆପଡ଼ା ରାଜନୀତିରେ ନୂଆ ମୋଡ଼ । ବିଜେଡିକୁ ପୁଣି ଏକ ଝଟ୍କା । ଶଙ୍ଖ ଛାଡି ପଦ୍ମ ଧରିଲେ ଲମ୍ବୋଦର ନିଆଲ।କଳାହାଣ୍ଡି ଲୋକ ସଭା ଆସନରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିଥିବା ଲମ୍ବୋଦର ନିଆଲ ଶେଷରେ ଭାଜପାରେ ସାମିଲ ହୋଇଛନ୍ତି। ତାଙ୍କ ସହ ୫୫ ଜଣ ସରପଂଚ ଓ ସମିତି ସଭ୍ୟ ବି ବିଜେପିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋଙ୍କ ପାଖକୁ ପଠେଇଛନ୍ତି। ସେ କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ବିଜୁ ଜନତା ଦଳ, ଓଡିଶାର ରାଜ୍ୟ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଛି ଏବଂ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ପ୍ରାର୍ଥୀ ଭାବରେ ଏବଂ ଥରେ କଳାହାଣ୍ଡିରୁ ସଂସଦ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଛି, ବ୍ୟକ୍ତିଗତ କାରଣରୁ ବିଜୁ ଜନତା ଦଳ, ଓଡିଶାର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଉଛି। ବର୍ଷ ବର୍ଷ ଧରି ବିଜୁ ଜନତା ଦଳର ସେବା କରିବା ଏବଂ ଦଳର ଅଭିବୃଦ୍ଧି ଏବଂ ଜନସେବାରେ ମୋର ବିନମ୍ର ଅବଦାନ ରଖିବା ଏକ ବଡ଼ ସମ୍ମାନ ଏବଂ ସୌଭାଗ୍ୟର ବିଷୟ। ମୋ କାର୍ଯ୍ୟକାଳ ମଧ୍ୟରେ ଦଳୀୟ ନେତୃତ୍ୱ ଏବଂ ସହକର୍ମୀମାନେ ମୋତେ ଦେଇଥିବା ସୁଯୋଗ, ବିଶ୍ୱାସ ଏବଂ ସମର୍ଥନ ପାଇଁ ମୁଁ ଗଭୀର କୃତଜ୍ଞ। ବ୍ୟକ୍ତିଗତ ପରିସ୍ଥିତିକୁ ଭଲଭାବେ ବିଚାର କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଏବଂ ମୁଁ ଆଶା କରୁଛି ଏହାକୁ ବୁଝାମଣା ସହିତ ଗ୍ରହଣ କରାଯିବ। ମୁଁ ସର୍ବଦା ଦଳ ଏବଂ ଏହାର ଆଦର୍ଶ ସହିତ ମୋର ସମ୍ପର୍କକୁ ଆଦର କରିବି। ଏହାପରେ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ଲମ୍ବୋଦର ନିଆଲ । ଏହାର କିଛି ସମୟ ପୂର୍ବରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ଲମ୍ବୋଦର ନିଆଲ ଉପସ୍ଥିତ ରହି ରୁଦ୍ଧଦ୍ୱାର ବୈଠକ ହୋଇଥିଲା । କଳାହାଣ୍ଡି ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ। ଏହା ସହ ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଛନ୍ତି। ନୂଆପଡାରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ସୂଚନା ଯୋଗ୍ୟ; ନୂଆପଡାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିବା ପରେ ଗତକାଲି ସ୍ନେହାଙ୍ଗିନ ଛୁରିଆଙ୍କ ନାଁ ଘୋଷଣା ହୋଇଥିଲା। ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା ପରେ ନୂଆପଡା ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଅନେକ କର୍ମୀ ଦଳ ଛାଡୁଥିବା କୁହାଯାଉଛି। Post navigation Jay Dholakia Nomination on Oct 18: ନୂଆପଡ଼ା ଉପନିର୍ବାଚନ; ଆସନ୍ତା ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ Dearness Allowance: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି