ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ପାଇଛନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର। ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସ୍ବାଧୀନତା ସଂଗ୍ରାମୀ ମାଳତି ଚୌଧୁରୀଙ୍କ ସୁକନ୍ୟା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ପ୍ରଦାନ କରାଯାଇଛି। ଏହି ପୁରସ୍କାରରେ ଏକ ଲକ୍ଷ ଟଙ୍କାର ସମ୍ମାନ ରାଶି, ମାନପତ୍ର ତଥା ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ସହ ସେବାଗ୍ରାମ ଆଶ୍ରମରେ ପ୍ରାତଃଭ୍ରମଣରେ ଏକଦା ଯାଇଥିବା ବାଳିକା କୃଷ୍ଣାଙ୍କର ଏକ ତୈଳଚିତ୍ର ପ୍ରଦାନ କରାଯାଇଛି।

ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବା ପରେ ଶ୍ରୀମତି କୃଷ୍ଣା ମହାନ୍ତି କହିଛନ୍ତି ଯେ, ଆଜି ଗଣତନ୍ତ୍ର ବିପଦରେ। ଦଳିତ, ମହିଳା ସମସ୍ତେ ଅତ୍ୟାଚାରର ଶିକାର ହେଉଛନ୍ତି। ସରକାର ମଦ ପ୍ରସାର ନୀତି ଆପଣେଇଛନ୍ତି। ଆଉ ଏ ଦେଶ କର୍ପୋରେଟ ଓ ଭ୍ରଷ୍ଟ ନେତାଙ୍କ ଦଖଲରେ ଥିବାବେଳେ ଗାନ୍ଧୀ ପୁରସ୍କାର ମୋ ପାଇଁ ଏକ ଆହ୍ଵାନ।

ସମାଜ ସେବା ହେଉଛି କୃଷ୍ଣା ମହାନ୍ତିଙ୍କର ନିଶା। ଅସହାୟଙ୍କୁ ସହାୟତା କରିବା ଏବଂ ଶିକ୍ଷାର ପ୍ରସାରରେ ମଧ୍ୟ ତାଙ୍କର ରହିଛି ଅନେକ ଅବଦାନ। ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବା ସମାଜସେବୀ କୃଷ୍ଣା ମହାନ୍ତିଙ୍କର କେବଳ ସମାଜ ସେବା ନୁହେଁ ଅନୁବାଦ ସାହିତ୍ୟରେ ମଧ୍ୟ ଅନେକ କୃତୀ ରହିଛି।କୃଷ୍ଣା ମହାନ୍ତିଙ୍କ ଜୀବନର ଅଧିକାଂଶ ସମୟ କଟିଛି ଅନୁଗୁଳରେ। ଅନୁଗୁଳର ବାଜି ରାଉଜ ଛାତ୍ରାବାସରେ ରହି ସେ ଶିକ୍ଷା ଗ୍ରହଣ କରିବାଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ଛାତ୍ରାବାସର ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହୋଇ ଏହାର ପରିଚାଳନା ଦାୟିତ୍ଵ ତୁଲାଇଛନ୍ତି।

Leave a Reply

Your email address will not be published. Required fields are marked *