କେରଳର ୱାଏନାଡ଼ରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୂସ୍ଖଳନ ଯୋଗୁ ଚାଲିୟାର ନଦୀର ଜଳ ଗାଁ ଭିତରକୁ ପଶି ଯାଇଥିଲା। ଫଳରେ ଗୋଟିଏ ଅଞ୍ଚଳରେ ଥିବା ସମସ୍ତ ଘର ଓ ଏଠାରେ ରହୁଥିବା ଲୋକମାନେ ଅଚାନକ ବନ୍ୟା ଜଳରେ ଭାସିଯାଇଛନ୍ତି। ପୂରା ଅଞ୍ଚଳ ମାଟିରେ ମିଶି ଯାଇଛି। ସେଠାରେ ପୂର୍ବରୁ ଘର ଥିଲା ଓ ଲୋକମାନେ ଚଳପ୍ରଚଳ କରୁଥିବାର ଚିହ୍ନବର୍ଣ୍ଣ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୱାଏନାଡ଼ରେ ଭୂସ୍ଖଳନ ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସେଠାରେ ଭୟଙ୍କର ବର୍ଷା ହୋଇଛି। ଗୋଟିଏ ଅଞ୍ଚଳର ପୂରା ଧୋଇ ହୋଇଯାଇଛି। ଗତକାଲି ରାତିରେ ଶୋଇବାକୁ ଯାଇଥିବା ଅନେକ ଲୋକ ଘର ସହ ବନ୍ୟା ପାଣିରେ ଭାସି ଯାଇଛନ୍ତି। ରାସ୍ତାଘାଟ, ଘରଦ୍ୱାର ଧୋଇ ହୋଇଯାଇଛି।

ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୮ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନରେ ଏନଡିଆରଏଫଠାରୁ ଆରମ୍ଭ କରି ଆର୍ମି ମୁତୟନ ହୋଇଛନ୍ତି। ଏବେ ବି ମାଟି ତଳୁ ଜୀବନ ଖୋଜା ଚାଲିଛି।ୱାଏନାଡ଼ରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ପ୍ରାୟ ୪୦୦ରୁ ଅଧିକ ପରିବାର ମାଟି ତଳେ ଚାପି ହୋଇ ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

କେରଳର ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ମଧ୍ୟ ସହାୟତା କରୁଛି। ଚୋରାଲମାଲା ପାଖରେ ଥିବା ସହରକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ସଂପୂର୍ଣ୍ଣ ଭାବେ ପାଣିରେ ଭାସି ଯାଇଛି। ଏଥିଯୋଗୁ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସହ କଥା ହୋଇଛନ୍ତି ଓ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ୨ ଲକ୍ଷ ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *