କଳାହାଣ୍ଡି ପୋଲିସର ବଡ଼ ସଫଳତା । ଡକାୟତ କରି ରାଜ୍ୟରେ ଆତଙ୍କ ଖେଳାଇଥିବା ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି ପୁଲିସ୍। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ, ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ, ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ।

ସୂଚନା ଯୋଗ୍ୟ; ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ବିଳମ୍ବିତ ରାତିରେ ପ୍ରାୟ ୮ ଜଣ ଡକାୟତ ଏକ ବୋଲେରୋରେ ଆସି ମଦ ଭାଟିରେରେ ଲୁଟ୍ ପାଇଁ ପଶିଥିଲେ । ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଟଙ୍କା ଲୁଟିଥିଲେ। ଯେଉଁ ବୋଲେରୋରେ ଡକାୟତମାନେ ଆସିଥିଲେ ସେହି ବୋଲେରୋରେ ୬ ଜଣ ଡକାୟତ ଫେରାର ହୋଇଯାଇଥିବା ବେଳେ ଆଉ ୨ ଜଣ ସେଠାରୁ ଦୌଡି ଦୌଡି ରାସ୍ତାରେ ଯାଉଥିବା ବେଳେ ପୋଲିସ ଗାଡିକୁ ଲିଫ୍ଟମାଗିଥିଲେ । ପୋଲିସ ଏମାନଙ୍କ ହାବଭାବ ଦେଖି ଥାନାକୁ ନେଇ ଆସିଥିଲା । ଏମାନଙ୍କୁ ସର୍ଚ୍ଚ କରିବା ସମୟରେ ଦୁଇଜଣଙ୍କ ପକେଟରୁ  ୩ ଲକ୍ଷ ଟଙ୍କା ବାହାରିଥିଲା । ଅଧିକ ତଦନ୍ତ କରୁଥିବା ବେଳେ ଏହି ସମୟରେ ସେହି ଥାନାରେ ୩ କୋଟିରୁ ଅଧିକ ଟଙ୍କା ନିକଟ ଦେଶୀ ମଦଭାଟିରୁ ଡକାୟତି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ ଭାଟି ମାଲିକ ।

ଏହା ପରେ ସେମାନଙ୍କୁ ଜେରା କରିବା ସହ ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପି ଅଭିଳାଷ ଜି.ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ ଜେଏଚ ୧୦ଏପି ୪୮୧୭  ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *