ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ହୋଇଛି। ସବୁଠୁ ଅଧିକ ମୟୁରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ‌ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ଏହା ସହ ରାସ୍ତାରୁ ଅଟୋକୁ ନେଇ ପୋଖରୀରେ ଫିଙ୍ଗିଦେଇଥିବ ଦେଖିବାକୁ ମିଳିଛି । ଲୋକ ବି ଏଥିରୁ ବର୍ତ୍ତି ନାହାନ୍ତି। ଲୋକଙ୍କୁ ଗାଡ଼ି ସହ ରାସ୍ତାରୁ ଉଡ଼ାଇ ନେଇଥିବା ଜଣାପଡିଛି ।

କାଳବୈଶାଖୀ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ୭୦ରୁ ଅଧିକ ଖପର ଘର କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ; ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ଘରଦ୍ବାର ଭାଙ୍ଗିବା ସହ ଅଘଟଣ ଘଟାଇଛି । ହଠାତ୍ ପବନ ମାଡ଼ିଆସିବା ସହ ଓ କୁଆ ପଥର ମାଡ଼ ହୋଇଥିଲା । ଯାହା ଫଳରେ ଏହି ତିନୋଟି ଗାଁରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି । ଏହାସହ ପ୍ରବଳ ପବନରେ କଙ୍କଡା ଗାଁ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଏକ ବାଇକ୍ ଓ ସ୍କୁଟରକୁ ମଧ୍ୟ ଉଡ଼ାଇ ନେଇ ଫିଙ୍ଗି ଦେଇଥିବା ଜଣାପଡିଛି ।

ତେବେ ଘୂର୍ଣ୍ଣିଝଡ଼ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ପୁରୁଣାପାଣି ଗ୍ରାମର ମାଳତୀ ମହାନ୍ତ ଓ କେନ୍ଦୁଝର ଜିଲ୍ଲା ପାଟଣା ଥାନା ହଳଦୀବଟା ଗ୍ରାମର ପୋଲିସ ନାୟକ ବୋଲି ଜଣାପଡିଛି ।

ଅନ୍ୟପଟେ କରଞ୍ଜିଆ ଘୂର୍ଣ୍ଣିଝଡ଼ରେ ୨ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଦୁଃଖପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *