ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସଂଜୀବ ଖାନ୍ନା । ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଷ୍ଟିସ ସଞ୍ଜୀବ ଖାନ୍ନା ନୂତନ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ । ନଭେମ୍ବର ୧୧ରେ ସରୁଛି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ତେଣୁ ସରକାରଙ୍କ ଅନୁମୋଦନ ପରେ ଜଷ୍ଟିସ୍ ଖାନ୍ନା ହେବେ ୫୧ତମ ନୂତନ ପ୍ରଧାନ ବିଚାରପତି ।

୧୯୮୩ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକରଣ ସହ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା। ପ୍ରଥମେ ସେ ହଜାରି କମ୍ପ୍ଲେକ୍ସ ଜିଲ୍ଲାକୋର୍ଟରେ ଓକିଲ ଭାବେ ଅଭ୍ୟାସ କରିଥିଲେ। ଏହାପରେ ବିଭିନ୍ନ ହାଇକୋର୍ଟରେ ଓକିଲାତି କରିବା ସହ ସହକାରୀ ସରକାରୀ ଓକିଲ ଭାବେ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ। ପରେ ଆମିକସ କ୍ୟୁରି ଭାବେ ନିଯୁକ୍ତି ପାଇଥିଲେ। ୨୦୦୫ ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ପଦୋନ୍ନତି ପାଇଥିଲେ ଏବଂ ୨୦୦୬ ରେ ସ୍ଥାୟୀ ବିଚାରପତି ହୋଇଥିଲେ। ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ଦିଲ୍ଲୀ ଏକାଡେମୀ, ଦିଲ୍ଲୀ ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟର ଏବଂ ଜିଲ୍ଲା କୋର୍ଟର ଇନ୍-ଚାର୍ଜ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କୁ ୨୦୧୯ରେ ସୁପ୍ରିମକୋର୍ଟର ଜଷ୍ଟିସ୍ କରାଯାଇଥିଲା। ଜଷ୍ଟିସ୍ ଖାନ୍ନା ସେହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ କୌଣସି ହାଇକୋର୍ଟର ପ୍ରଧାନ ବିଚାରପତି ହେବା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟକୁ ପଦୋନ୍ନୀତ ହୋଇଥିଲେ। ସେ ୨୦୨୩ ରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ସେବା କମିଟିର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଚେୟାରମ୍ୟାନ୍ ତଥା ଭୋପାଳର ଜାତୀୟ ଜୁଡିସିଆଲ୍ ଏକାଡେମୀର ପରିଚାଳନା ପରିଷଦର ସଦସ୍ୟ ଅଛନ୍ତି।

ସୁପ୍ରିମ୍‌କୋର୍ଟରେ ତାଙ୍କର ସାଢ଼େ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ୩୫୮ଟି ଖଣ୍ଡପୀଠରେ ସାମିଲ ହୋଇ ୯୦ରୁ ଅଧିକ ମାମଲାରେ ରାୟ ଶୁଣାଇଛନ୍ତି। ଗତବର୍ଷ ଅନୁସୂଚିତ ଜାତି ଓ ଜନଜାତିଙ୍କ ପଦୋନ୍ନତିରେ ସଂରକ୍ଷଣ ପ୍ରସଙ୍ଗରେ ଶୁଣାଣି କରିଥିବା ତିନି ଜଣିଆ ଖଣ୍ଡପୀଠରେ ସେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *