ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଗତସିଂହପୁର ଜିଲ୍ଲା ଓଡିଶା ସରକାରଙ୍କ ସମୃଦ୍ଧ ଓଡ଼ିଶାର ଜୟ ଯାତ୍ରାରେ ଗ୍ରୋଥ ଇଞ୍ଜିନ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି ।
ଜଗତସିଂହପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏକ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଓଡିଶାର ଅନ୍ୟତମ ଶିଳ୍ପ ସମୃଦ୍ଧ ଅଞ୍ଚଳ ପାରାଦୀପ ହେବ ଆମ ରାଜ୍ୟର ବିକାଶ ମୁକୁଟର ମଣି ସଦୃଶ ।
ଜଗତସିଂହପୁର ଜିଲ୍ଲା ପାଇଁ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ରୁ ଉର୍ଦ୍ଧ୍ଵ ଟଙ୍କାର ବଜେଟ ରାଜ୍ୟ ସରକାର ମଂଜୁର କରିଛନ୍ତି, ଯାହା ଏହି ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବ । ସରକାର ଯେଉଁ ପୋର୍ଟ ଲେଡ୍ ଡେଭଲପ୍ମେଣ୍ଟ୍ର ମୂଳଦୁଆ ପାଇଁ ବଜେଟ୍ରେ ପ୍ରସ୍ତାବ ଆଣିଛନ୍ତି ସେଥିରେ ପାରାଦ୍ୱୀପ ହେବ ଅଗ୍ରଣୀ । ଏଥିପାଇଁ ପାରାଦୀପ, ଚୌଦ୍ୱାର, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକାଶ କରାଯିବ। ଆଧୁନୀକିକରଣ ଓ ଶିଳ୍ପ ବିକାଶର ଅକ୍ଷ ପାଲଟିବ ଓଡିଶାର ସର୍ବୋପୁରାତନ ବନ୍ଦର ପାରାଦୀପ ବନ୍ଦର ।

ରୋଜଗାର ବୃଦ୍ଧି ହେଲେ ହିଁ ଏକ ଅଞ୍ଚଳର ବିକାଶ ହୁଏ। ଏଣୁ ଆମ ସରକାର ନିଷ୍ପତ୍ତି ନେଇଛି ଯେ ଜଗତସିଂହପୁର ରେ ଏକ Textile Production Unit ପ୍ରତିଷ୍ଠା ହେବ ଯାହା ଏହି ଅଂଚଳର ପାଖାପାଖି ୨୦, ୦୦୦ ଜନସାଧାରଣଙ୍କୁ ନିଯୁକ୍ତି ଦେବ। ଏହି ଜିଲ୍ଲାର ଐତିହ୍ୟର ପ୍ରତୀକ ମୃତ ଅଳକା ନଦୀର ପୁନଃରୁଦ୍ଧାର ପାଇଁ ମଧ୍ୟ ଆମ ସରକାର ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗତ ପ୍ରାୟ ଦଶମାସ ହେଲା ଆମ ସରକାର ବିକାଶ କାର୍ଯ୍ୟକୁ ତ୍ବରାନ୍ୱିତ କରିଛନ୍ତି। ଆମ ସରକାର ବିକାଶ ସହିତ ଓଡିଆ ସଂସ୍କୃତି, ପରମ୍ପରା ଏବଂ ଓଡିଆ ଅସ୍ମିତାକୁ ନେଇ କାର୍ଯ୍ୟରତ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଆମ ସରକାର କିଛି ନା କିଛି ସଂଭାର ନେଇ ଆସିଛନ୍ତି। ଆମ ସରକାର ପ୍ରଥମ ଦିନରୁ ହିଁ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିଛି। ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଜୀବନ ଜୀବିକା, କୃଷି, ମହିଳା ସଶକ୍ତିକରଣ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶର ଧାରା ବହି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେ କହିଥିଲେ ଯେ, ଓଡିଆ ଅସ୍ମିତାକୁ ଆଉ ପାଦେ ଆଗକୁ ନେଇ ଆମେ ବର୍ତ୍ତମାନ ପାଳନ କରୁଛୁ ‘ ଓଡିଆ ପକ୍ଷ’। ଚଉଦ ଦିନ ବ୍ୟାପୀ ଏହି ଉତ୍ସବରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ବେଶଭୁଷା, ଖାଦ୍ୟପେୟକୁ ସମ୍ମାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଆଜି ଓଡିଆ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ ଦିବସ ପାଳିତ ହେଉଛି। ଆପଣମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ତଥା ସମୂହିକ ଭାବେ ସାମିଲ ହୁଅନ୍ତୁ ।
ଏହି ଭୂମି, ଓଡ଼ିଆ ଭାଷା ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ ଜନ୍ମ ଭୂମି । ଜଗତସିଂହପୁର ମାଟିର କୃତୀ ସନ୍ତାନ, ଡ଼ଃ ପ୍ରାଣକୃଷ୍ଣ ପରିଜା ଦକ୍ଷ ଉଦ୍ଭିଦ ବିଜ୍ଞାନୀ ଭାବରେ ଖ୍ୟାତି ଅର୍ଜନ କରିବା ସହ ଉତ୍କଳ ବିଶ୍ବ ବିଦ୍ୟାଳୟର କୁଳପତି ଆସନ ଅଳଙ୍କୃତ କରି ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହି ଜିଲ୍ଲାରେ ପ୍ରତିଷ୍ଠିତ ଅଳକା ଆଶ୍ରମ ଭାରତ ଜାତୀୟ ମୁକ୍ତି ସଂଗ୍ରାମର ଏକ ଏନ୍ତୁଡ଼ିଶାଳ ଭାବରେ ଗଢି ଉଠିଥିଲା ଏବଂ ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ଜୟପ୍ରକାଶ ନାରାୟଣ ଏଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।