ଭୁଶୁଡିଛି ରାଜ୍ୟର ଶାସନ କଳ। ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି। ନ୍ୟାୟ ବଦଳରେ ମିଳୁଛି ନିର୍ଯାତନା। ଖାକି ପୋଷାକ ପିନ୍ଧି ଲୋକଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ ସେମାନଙ୍କ ପ୍ରତିଜ୍ଞା ଭୁଲି ଯାଇଛନ୍ତି। ଏପରିକି ଦେଶର ସୁରକ୍ଷା ପାଇଁ ସେନାବାହିନୀରେ ଜୀବନକୁ ବାଜି ଲଗାଉଥିବା ମେଜରଙ୍କ ସହ ଆଜି ଅନ୍ୟାୟ ହୋଇଛି। ଅଭିଯୁକ୍ତମାନେ ଧର୍ମକୁ ଆଖିଠାର ଭଳି ଜେଲ ଯାଇ ବେଲରେ ଆସୁଛନ୍ତି। ଏଥିରେ ବି ଆଉ ପୋଲିସର ହାତ ନାହିଁ ତ ? କଳା କାରନାମା ଧରାପଡ଼ିଯିବା ଭୟରେ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନି ତ ? ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୋଲିସର କାର୍ଯ୍ୟକଳାପ ନେଇ ସନ୍ଦେହ ଉପୁଜିଛି।

ବିଶେଷକରି ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିବଦ୍ଧ ବୋଲି ଦୃଢୋକ୍ତି କରୁଥିବା ବେଳେ ଆଜି ପ୍ରତିଶ୍ରୁତି ପାଣିର ଗାର ହୋଇଛି। ପୋଲିସ ବି ତାର ମର୍ଯ୍ୟାଦା ଭୁଲି ଯାଇଥିବା ବେଳେ ରୋଡ୍‌ ରୋମିଓଙ୍କୁ ପଚାରେ କିଏ ? ଏଭଳି ସ୍ଥିତିରେ ରାଜଧାନୀ ଅସୁରକ୍ଷିତ ହୋଇପଡିଛି। କ୍ରାଇମ ହବ ପାଲଟିଛି ଭୁବନେଶ୍ୱର ରାଜରାସ୍ତା। ନିକଟରେ ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି।

ସେନା ମେଜର ଓ ତାଙ୍କ ବାନ୍ଧବୀ ରେଷ୍ଟୁରାଣ୍ଟରୁ ଫେରିବା ବେଳେ ଚନ୍ଦକା ରାସ୍ତାରେ କିଛି ଦୁବୃତ୍ତ ତାଙ୍କୁ ମାଡ଼ ମାରିବା ସହ ଝାମେଲା କରିଥିଲେ। ଏହି ଘଟଣାରେ ୭ ଜଣ ରୋଡ୍‌ ରୋମିଓ ଗିରଫ ହୋଇଥିଲେ। ହେଲେ ବିଡମ୍ବନାର ବିଷୟ ଗିରଫ ହେବାର ୪ ଘଣ୍ଟା ପରେ ୭ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଜେଏମଏଫସି କୋର୍ଟରୁ ଜାମିନ ମିଳିଛି। ସମ୍ପୃକ୍ତ ୭ ଜଣ ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଗାଡ଼ି ଅଟକାଇ ଗାଳିଗୁଲଜ ସହ ଯୁବତୀଙ୍କୁ ପିଟିଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *