ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି । ଏହା ବାଦ୍ ପର୍ଥର ଅପଟସ ଷ୍ଟାଡିୟମରେ କଙ୍ଗାରୁ ଦଳ ପ୍ରଥମ ଥର ପରାଜୟର ସ୍ୱାଦ ଚାଖିଛି । ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ହରାଇ ଐତିହାସିକ ବିଜୟ ହାସଲ କରିଛି ବୁମରା ବାହିନୀ। ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଉଭୟ ଇନିଂସରେ ଦମଦାର ବୋଲିଂ କରି ୮ ୱିକେଟ୍ ନେଇଥିବା ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରଯାଇଛି। ଏହି ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୫୩୪ ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତୀୟ ଦଳ। କିନ୍ତୁ ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ପାଳିରେ ୨୩୮ ରନ୍ କରିବାକୁ ସମର୍ଥ ହୋଇଛି । ତେବେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଟିମ୍ ଅଷ୍ଟ୍ରେଲିଆ । ପ୍ରଥମ ପାଳିରେ ଭାରତ ୧୫୦ ରନ୍ କରିବା ପରେ ଅଷ୍ଟ୍ରେଲିଆକୁ ୧୦୪ ରନରେ ଅଲଆଉଟ୍ କରି ଦେଇଥିଲା । ପରେ ଭାରତ ଯଶସ୍ବୀ ଜୟସ୍ବାଲ ଏବଂ ବିରାଟ କୋହଲିଙ୍କ ଶତକ ବଳରେ ଦ୍ବିତୀୟ ଇନିଂସରେ ୬ ୱିକେଟ ହରାଇ ୪୮୭ ରନ୍ କରିବା ପରେ ପାଳି ଘୋଷଣା କରିଥିଲା । ଏହାପରେ ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ବୁମରା ଓ ମହମ୍ମଦ ସିରାଜ ୩ଟି ଲେଖାଏଁ, ୱାଶିଂଟନ୍ ସୁନ୍ଦର ୨ ଏବଂ ହର୍ଷିତ ରାଣା ଓ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ଯାହାଫଳରେ ଅଷ୍ଟ୍ରେଲିଆ ଟିମ୍ ମାତ୍ର ୨୩୮ ରନ୍ କରିପାରିଛନ୍ତି । ଅନ୍ୟପଟେ ପର୍ଥ ଟେଷ୍ଟ ପରେ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ୬୧.୧୧ ବିଜୟ ପ୍ରତିଶତ ସହ ପ୍ରଥମ ସ୍ଥାନକୁ ଉଠିଥିବା ବେଳେ ଅଷ୍ଟ୍ରେଲିଆ ୫୭.୫୯ ବିଜୟ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନକୁ ଖସିଛି । ତୃତୀୟ ସ୍ଥାନରେ ଶ୍ରୀଲଙ୍କା ରହିଛି । ଏହି ଦଳର ବିଜୟ ପ୍ରତିଶତ ୫୫.୫୬ ପ୍ରତିଶତ ରହିଛି । ନ୍ୟୁଜିଲାଣ୍ଡ ୫୪.୫୫ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି । Post navigation ଗଞ୍ଜେଇ ଚାଷର ମୂଳପୋଛ ପାଇଁ ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଭବ ଦାସଙ୍କ ନାଁରେ ଆଉ ୩ଟି ମାମଲା ରୁଜୁ