ରାଜ୍ୟରେ ଦିନକୁ ଦିନ ବେଲଗାମ ହେଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଛି। କେଉଁଠି ଆଳୁ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଥିବା ବେଳେ ଆଉ କେଉଁ କେଉଁ ଜାଗାରେ ୭୦ ଟଙ୍କା ରହିଥିବା ବେଳେ ମୁଣ୍ଡବିନ୍ଧାର କାରଣ ପଲଟିଲାଣି ଆଳୁ ସମସ୍ୟା ।

ତେବେ ଦିନେ ଦୁଇଦିନରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଆଳୁ ସମସ୍ୟାକୁ ନେଇ ଆତଙ୍କିତ ନହେବାକୁ ଖାଉଟିଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଲୋକେ ଆଳୁର ଅଭାବ ନେଇ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ସବୁ ଆଡୁ ଆଳୁ ଆସି ରାଜ୍ୟର ଗୋଦାମରେ ଭର୍ତ୍ତି ହୋଇଯିବ। ଦିନେ, ଦୁଇ ଦିନ ମଧ୍ୟରେ ଆଳୁ ଅଭାବ ସମସ୍ୟାର ସମାଧାନ ହେବ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି ।

ଅନ୍ୟପଟେ ଭୁବନେଶ୍ବର ଆଇଗିଣିଆ କୁବେରପୁରୀ ଆଳୁ ଗଦିରେ ପହଞ୍ଚିଲା ଆଳୁ। ଆଜି ସକାଳୁ ୫ ଟ୍ରକ ଆଳୁ ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିବା ସୂଚନା ମିଳିଛି । ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି।

Leave a Reply

Your email address will not be published. Required fields are marked *