ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ଶୋକ ପ୍ରସ୍ତାବ ଆଗତ ପରେ ବିଧାନସଭାରେ ହଟ୍ଟଗୋଳ । ସାର ପ୍ରସଙ୍ଗରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ହଟ୍ଟଗୋଳ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ହୋହଲ୍ଲା ସହ ନାରାବାଜୀ କରିଛନ୍ତି ବିରୋଧୀ। ଯାହା ଫଳରେ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ଶନିବାର ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ବୀରମିତ୍ରପୁର ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜ ତିର୍କିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ସମସ୍ତ ବିରୋଧୀ ଦଳ ଶୋକ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ବିଜେଡ଼ିର ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଶ୍ଚର୍ଯ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ସମର୍ଥନ କରି ଶୋକ ବାର୍ତ୍ତା ଦେଇଥିଲେ । ଏହା ପରେ ଏକ ମିନିଟ୍ ଯାଏ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହୋଇଥିଲା । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଥିଲେ । ତୁରନ୍ତ ବିଜେଡ଼ି ବିଧାୟକମାନେ ପୁଣି ଥରେ ସାର ସଙ୍କଟ ପ୍ରସଙ୍ଗ ଉଠାଇ ନାରାବାଜୀ କରିଥିଲେ । ବିରୋଧୀ ସଦସ୍ୟମାନେ ବିଜେପି ସରକାର ହାଏ ହାଏ ନାରା ଦେଇ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ସିଧାସଳଖ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଚାଲି ଆସିଥିଲେ । ଫଳରେ ମନ୍ତ୍ରୀ ରଖୁଥିବା ଉତ୍ତର ଶୁଣିବା ସମ୍ଭବ ହୋଇନଥିଲା । ବାଚସ୍ପତି ପ୍ରଥମେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ । କିନ୍ତୁ ବିରୋଧୀ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । Post navigation ଟାରିଫ ପରେ ମହଙ୍ଗା ହେଲା H-1B ଭିସା ଆଜି ନିର୍ଭୟର ୧୨ତମ ବାର୍ଷିକ ଉତ୍ସବ; ମୁଖ୍ୟଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ