ଉତ୍ତରପ୍ରଦେଶର ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୧ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ମୃତକଙ୍କ ମଧ୍ୟରେ ୧୦୮ ଜଣ ମହିଳା ଓ ୭ ଜଣ ଛୋଟ ପିଲା ଅଛନ୍ତି । ଅନ୍ୟପଟେ ଏହାସହ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛି ପୋଲିସ।

ସୂଚନା ମୁତାବକ, ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା।

ଅନ୍ୟପଟେ ହାଥରସରେ ହୋଇଥିବା ଏହି ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଧାରା ୧୦୫, ୧୧୦, ୧୨୬,୨୨୩ ଓ ୨୩୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବଡ଼ କଥା ହେଉଛି, ୮୦ହଜାର ଲୋକଙ୍କ ପାଇଁ ଅନୁମତି ନିଆଯାଇଥିବା ବେଳେ ସତସଙ୍ଗରେ ୨ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି।

ସେହିପରି ଏହି ଆବେଦନରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ୫ ଜଣିଆ ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।ଆବେଦନକାରୀମାନେ ଆଜି ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ୟୁପି ସରକାରଙ୍କ ତରଫରୁ ଏକ ଷ୍ଟାଟସ୍ ରିପୋର୍ଟ ଦାବି କରାଯାଇଛି। ଅର୍ଥାତ୍ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଏବଂ ଭବିଷ୍ୟତରେ ନିଆଯିବାକୁ ଥିବା ସତର୍କତା ବିଷୟରେ ସୂଚନା ଦେବାକୁ କୁହାଯାଇଛି

Leave a Reply

Your email address will not be published. Required fields are marked *