ଦିନକ ପରେ ହରିୟାଣା ବିଧାନସଭା ଫଳ ପ୍ରକାଶ ପାଇବ। ଶନିବାର ଭୋଟ ସରିବା ପରେ ବୁଥ ଫେରନ୍ତା ଭୋଟରଙ୍କ ନିଷ୍ପତ୍ତି ଆଧାରରେ ସର୍ଭେ ରିପୋର୍ଟ ବା ଏକଜିଟ ପୋଲ ଅନୁସାରେ ୧୦ ବର୍ଷର ଭାଜପା ସରକାର କ୍ଷମତା ହରାଇବାକୁ ଯାଉଛି। ଜାମ୍ମୁ-କାଶ୍ମୀର ଭାଜପା ହାତରେ ନଥିଲା। ତେଣୁ ଏହାର ସମ୍ଭାବ୍ୟ ଫଳାଫଳକୁ ନେଇ ଭାଜପା ଯେତିକି ଚିନ୍ତିତ ନୁହେଁ, ତା’ଠୁ ଢେର ଚିନ୍ତାର କାରଣ ହେବାକୁ ଯାଉଛି ହରିୟାଣା ଫଳ। ଏହି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି ଏକଜିଟ ପୋଲରୁ ସ୍ପଷ୍ଟ ହୋଇଯାଇଛି। ହରିୟାଣା ଭାଜପା ହାତରୁ ଯାଉଛି ବୋଲି ସର୍ଭେ ରିପୋର୍ଟରୁ ସୂଚନା ମିଳିବା ପରେ ଓଡ଼ିଶାରେ ଦୁଇ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ବିଜେଡି ନେତାମାନେ ଅଧିକ ଉତ୍ସାହିତ ହୋଇପଡିଛନ୍ତି। ମହାରାଷ୍ଟ୍ରରେ ଭାଜପାର ବିପର୍ଯ୍ୟୟ ଘଟିବ ବୋଲି ସେମାନେ ଭବିଷ୍ୟବାଣୀ କରୁଛନ୍ତି। କଂଗ୍ରେସ ସ୍ୱାଭାବିକ ଭାବେ ଅତି ଉତ୍ସାହିତ ହୋଇପଡିଛି ହରିୟାଣା ଫଳକୁ ନେଇ। ଜାତୀୟ ରାଜନୀତିରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ପୁଣି ସେଣ୍ଟର ଷ୍ଟେଜକୁ ଫେରୁଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରିବାରେ କଂଗ୍ରେସ ନେତାମାନେ ଲାଗିପଡିଛନ୍ତି। ଗତ ଲୋକସଭା ନିର୍ବାଚନ ଫଳ କଂଗ୍ରେସକୁ ମଧ୍ୟ ଉତ୍ସାହିତ କରିଛି। କିନ୍ତୁ ଓଡ଼ିଶାରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ସମ୍ଭାବ୍ୟ ହରିୟାଣା ଫଳକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ହରିୟାଣା ପାଇଁ ନିର୍ବାଚନ ପ୍ରଭାରୀ ଥିଲେ ଧର୍ମେନ୍ଦ୍ର। ଯେତିକି ସମୟ ହରିୟାଣାରେ ଦେବା କଥା ଧର୍ମେନ୍ଦ୍ର, ତା’ଠୁ ଅଧିକ ସମୟ ଓଡିଶା ପାଇଁ ଦେଇଛନ୍ତି। ହରିୟାଣା ଭାଜପା ହାତରୁ ଯିବା ଅର୍ଥ ଧର୍ମେନ୍ଦ୍ରଙ୍କ ସାଙ୍ଗଠନିକ ଦକ୍ଷତା ଆଗରେ ଆଉ ଏକ ପ୍ରଶ୍ନଚିହ୍ନ ଲାଗିଯିବ। ଏହା ପିରବାରୁ ତାଙ୍କୁ କର୍ଣାଟକ ଦାୟିତ୍ୱ ଦିଆଯାଇଥିଲା। ତାଙ୍କରି ପାଇଁ ଜଗଦୀଶ ସେଟର ପରି ବରିଷ୍ଠ ଭାଜପା ନେତାମାନେ ଦଳ ଛାଡିଥିଲେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସେ ଯାହା ହେଉ ନା କାହିଁକି କର୍ଣାଟକରେ ମଧ୍ୟ ଭାଜପା କ୍ଷମତାରୁ ଯାଇଥିଲା। ଏବେ ହରିୟାଣା ପାଳି। ଯଦି ଏକଜିଟ ପୋଲ ରିପୋର୍ଟ ସତ ହୁଏ, ତେବେ ଜାତୀୟ ସ୍ତରରେ ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିଆରା ଯଥେଷ୍ଟ ହ୍ରାସ ପାଇବ। ଆଗରୁ ସେ ଅନେକ ରାଜ୍ୟରେ ସଫଳତା ଦିଆଇଥିଲେ ଭାଜପାକୁ। ଏବେ ସେହି ଝଲକ ମଳିନ ହୋଇଯାଇଛି। ଓଡିଶା ବ୍ୟାପାରରେ ଅଧିକରୁ ଅଧିକ ମୁଣ୍ଡ ପୁରାଇବା କାରଣରୁ ଅନ୍ୟ ରାଜ୍ୟରେ ଦଳର ସ୍ଥିତି ସୁଦୃଢ଼ କରିବାରେ ଧର୍ମେନ୍ଦ୍ର ବିଫଳ ହେଉଥିବା ଅନୁମାନ କରାଯାଉଛି। ଯଦି ହରିୟାଣା ପୁଣି ଭାଜପା ସପକ୍ଷରେ ଯାଏ ତେବେ ଧର୍ମେନ୍ଦ୍ରଙ୍କ ରାଜନୈତିକ ପତିଆରା ଯେ ଯଥେଷ୍ଟ ବଢିବ ଏଥିରେ ସନ୍ଦେହ ନାହିଁ। ତାଙ୍କ ନାମ ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ଭାବେ ଆଲୋଚିତ ହେଉଛି। କିନ୍ତୁ ଯଦି ହରିୟାଣା ଭାଜପା ହାତରୁ ଯାଏ, ତେବେ ଓଡ଼ିଶାରେ ହିଁ ତାଙ୍କ ବିରୋଧୀମାନେ ଅଧିକ ସକ୍ରିୟ ହୋଇପଡିବେ।ଏହି କାରଣରୁ ତାଙ୍କ ଅନୁଗତ ନେତାମାନଙ୍କ ପାଇଁ ହରିୟାଣା ଫଳାଫଳ ବଡ଼ ଚିନ୍ତାର କାରଣ ହୋଇପାରେ। Post navigation ଆଲୋଚନା ପରେ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ ୟାଜଦାନୀ ଷ୍ଟିଲକୁ ପ୍ରଦୂଷଣ ବୋର୍ଡର ନୋଟିସ; ପ୍ରଦୂଷଣ ବନ୍ଦ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ